ନବରଙ୍ଗପୁର: ଜେଲରୁ ଚମ୍ପଟ ମାରିଲା କଏଦୀ । କୋର୍ଟରୁ ଫେରିବା ବେଳେ ପୋଲିସକୁ ଚକମା ଦେଇ ଜେଲ୍ ଗେଟ୍ ସାମ୍ନାରୁ ହୋଇଗଲା ଫେରାର୍ । ନବରଙ୍ଗପୁର ଉପକାରଗାରରୁ ଏହି କଏଦୀ ଫେରାର୍ ହୋଇଯାଇଥିବା ଜଣାପଡିଛି । ଫେରାର କଏଦୀ ନାମ ଲୁକୁ ଭୂମିଆ । ଗତ ମାର୍ଚ୍ଚ ୧୭ ତାରିଖରେ ଏକ ଡକାୟତି ମାମଲାରେ ସେ ଗିରଫ ହୋଇଥିଲା । ଲୁକୁ ଜଣେ ପେଷାଦାର ଅପରାଧୀ । ତା' ନାଁରେ ଲୁଟ, ଡକାୟତି ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି ।
ମିଳିଥିବା ସୂଚନା ଅନୁସାରେ, ଖାତିଗୁଡା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ୬ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ନଗଦ ୨ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ଧରା ପଡିଥିଲେ । ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ଗତ ୧୭ ତାରିଖରେ ଲୁକୁ ଭୂମିଆକୁ ପୋଲିସ ଗିରଫ କରିଥିଲା । ମଙ୍ଗଳବାର ଦିନ କୋର୍ଟ ଭ୍ୟାନରେ ଅଭିଯୁକ୍ତ ଲୁକୁକୁ କୋର୍ଟରେ ହାଜର କରିଥିଲା ପୋଲିସ । ହେଲେ କୋର୍ଟରୁ ଉପକାରଗାରକୁ ଫେରିବା ବେଳେ ପୋଲିସକୁ ଚକମା ଦେଇ ଜେଲ୍ ଗେଟରୁ ଚମ୍ପଟ ମାରିଥିଲା ଲୁକୁ । ଦାୟିତ୍ୱରେ ଥିବା ପୋଲିସ ତାକୁ ଧରିବାକୁ ପଛରେ ଦୌଡିଥିଲେ । ହେଲେ ସେ ଖସି ଯିବାରେ ସଫଳ ହେଇଥିଲା ।
ଏହାମଧ୍ୟ ପଢନ୍ତୁ: ଜିଲ୍ଲାବାସୀଙ୍କ ସ୍ବପ୍ନ ହେଲା ପୂରଣ, କଳାହାଣ୍ଡି ମେଡ଼ିକାଲ କଲେଜକୁ ମିଳିଲା ଅନୁମୋଦନ