ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବୋଲେରୋ । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଗୁୁରୁତର ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ମେନପୁର ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା ।
ସୂଚନାନୁସାରେ, ଶନିବାର 10ଜଣ ବ୍ୟକ୍ତି ଏକ ବୋଲେରୋରେ ପଡୋଶୀ ରାଜ୍ୟ ଛତିଶଗଡର ଗରିଆବନ୍ଦ ସହରକୁ ଡ୍ରାଇଭିଂ ଲାଇସେନ୍ସ ଆଣିବାକୁ ଯାଇଥିଲେ । ସେଠାରୁ କାମ ସାରି ଘରକୁ ଫେରିବା ସମୟରେ ମେନପୁର ନିକଟ ଜାତୀୟ ରାଜପଥ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ଝରିଗାଁ ବ୍ଲକ୍ ପଦମଝରି ଗ୍ରାମର ନିରଞ୍ଜନ ପାତ୍ର ଓ ଅନ୍ୟ ମୃତ ବ୍ୟକ୍ତି ଜଣକ ଉମରକୋଟ ବ୍ଲକ୍ କେରିପଦର ଗ୍ରାମର ଚରଣ ଗୌଡ ବୋଲି ଜଣାପଡିଛି ।