ନବରଙ୍ଗପୁର : ବାଣିଜ୍ୟକର ଓ ଜିଏସଟି ବିଭାଗ ଟାର୍ଗେଟରେ ଉମରକୋଟ ସହରର ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନ । ଯାହାର ପ୍ରତିବାଦରେ ବ୍ୟବସାୟୀଙ୍କ ୧୨ ଘଣ୍ଟିଆ ବନ୍ଦ ଡାକରା । ଏଥିଯୋଗୁଁ ଉମରକୋଟ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଗତ କିଛିଦିନ ଧରି ବାଣିଜ୍ୟକର ଓ ଜିଏସଟି ବିଭାଗର ଅଧିକାରୀମାନେ ବାରମ୍ବାର ଉମରକୋଟ ଆସି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଅତର୍କିତ ଚଢ଼ଉ କରି ବ୍ୟବସାୟୀଙ୍କ ଠାରୁ ମନଇଚ୍ଛା ଫାଇନ ଆଦାୟ କରୁଛନ୍ତି ।
ଏନେଇ ଉମରକୋଟ ସହରର ବ୍ୟବସାୟୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଓଡ଼ିଶାର ଅନ୍ୟାନ୍ୟ ସହରରେ ଏପରି ଚଢଉ ହେଉନଥିବା ବେଳେ ଉମରକୋଟରେ କାହିଁକି ଘନଘନ ଚଢ଼ଉ କରାଯାଉଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି । କରୋନା ମହାମାରୀରେ ଗତ ଦୁଇ ବର୍ଷ ହେଲା ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବ୍ୟବସାୟୀ ମାନେ ବ୍ୟାଙ୍କ ଓ ଲୋକଙ୍କ ଠାରୁ ହାତ ଉଧାର ଆଣି ବହୁ କଷ୍ଟରେ ବ୍ୟବସାୟକୁ ଛିଡା କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ବାଣିଜ୍ୟକର ବିଭାଗର ଚଢ଼ଉ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଭାଙ୍ଗି ସାରିଲାଣି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି ।