ଓଡିଶା

odisha

ETV Bharat / state

ଗ୍ରାମକୁ ଦୋଷ ଲାଗିଥିବାରୁ ଗଡୁଛି ମୁଣ୍ଡ ! ପ୍ରତିକାର ପାଇଁ ଘୁଷୁରୀ ବଳି - ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ ପାଇଁ ଘୁଷୁରୀ ବଳି

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗ୍ରାମରେ ସୀମା ଲଂଘୁଛି ଅନ୍ଧ ବିଶ୍ବାସ । ଲୋକଙ୍କ ମୃତ୍ୟୁ ଘଟିବା ଯୋଗୁଁ ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ ପାଇଁ ଘୁଷୁରୀ ବଳି । ଅଧିକ ପଢ଼ନ୍ତୁ

superstition in nabarangpur villagers sacrifice pig on gramdevi
ଗ୍ରାମକୁ ଦୋଷ ଲାଗିଥିବାରୁ ଗଡୁଛି ମୁଣ୍ଡ! ପ୍ରତିକାର ପାଇଁ ଘୁଷୁରୀ ବଳି

By

Published : Oct 17, 2022, 2:46 PM IST

ନବରଙ୍ଗପୁର:ବିଜ୍ଞନ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଗୁଣି ଗାରେଡି ଭଳି ଅସାମାଜିକ ନୀତି ଯୋଗୁଁ ଅନେକ ନୀରିହଙ୍କ ମୁଣ୍ଡ ଗଡୁଛି । ହେଲେ ଆଜି ବି ଏହି କୁପ୍ରଥାକୁ ଜାବୁଡି ଧରିଛି ଅନ୍ଧବିଶ୍ବାସର ସମାଜ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗ୍ରାମରେ ଗତ ୧୪ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟଣା ନେଇ ଆମେ ଖବର ପ୍ରସାରଣ କରିଥିଲୁ । ପ୍ରଶାସନ ନ ଚେତିଲେ ଅନ୍ଧବିଶ୍ୱାସର ପରିଣତି ଭୟଙ୍କର ହେବା କଥା ମଧ୍ୟ କହିଥିଲୁ, ବର୍ତ୍ତମାନ ଗ୍ରାମରେ ସେଭଳି କିଛି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଗ୍ରାମକୁ ଦୋଷ ଲାଗିଥିବାରୁ ଗଡୁଛି ମୁଣ୍ଡ! ପ୍ରତିକାର ପାଇଁ ଘୁଷୁରୀ ବଳି

ଗ୍ରାମରେ ୫ ଜଣଙ୍କ ମୃତ୍ୟୁ ନେଇ ଏକ ଡାକ୍ତରୀ ଦଳ ଆସି ଫେରିବା ପରେ ସ୍ଥାନୀୟ ଲୋକଙ୍କ ନିମନ୍ତ୍ରଣରେ ଆସିଥିଲେ ଗ୍ରାମଦେବୀ ଗୁରୁମାଇ । ୩ ବର୍ଷରେ ଥରେ ହେବାକୁ ଥିବା ଗ୍ରାମ ବାଲିଯାତ୍ରା ୭ ବର୍ଷ ହେବ କରାଯାଇନାହିଁ । ଏଥିପାଇଁ ଗ୍ରାମବାସୀଙ୍କ ଉପରେ ଗ୍ରାମଦେବୀ ରାଗିଛନ୍ତି । ଗ୍ରାମକୁ ଦୋଷ ଲାଗିଛି, ଏହା ଦୂର କରିବାକୁ ପଡିବ ଏବଂ ଗ୍ରାମକୁ ସୁରକ୍ଷିତ କରିବାକୁ ପଡିବ । ମଦ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା କଥା ଭୁଲ୍‌ । ଯାତ୍ରା କରିବାରେ ଅବହେଳା ହିଁ ଏହାର କାରଣ ବୋଲି ଗୁରୁମାଇ ଗ୍ରାମବାସୀଙ୍କୁ କହିବା ସହ ଏହାର ପ୍ରତିକାର କରିବାକୁ କହିଥିଲେ । ନିରାକରଣରେ ନଡ଼ିଆ, କଦଳୀ, ଧୂପ, ଦୀପ, ପୂଜା ସହ ଗ୍ରାମରେ କୁର୍ସି ବୁଲିବ, ଚତୁର୍ପାଶ୍ୱରେ କିଳା ମାରିବାକୁ ପଡିବ, ମା'ଙ୍କୁ ଦେଶୀ କୁକୁଡ଼ା ଅଣ୍ଡା, ଦେଶୀ ମଦ, ଦେଶୀ କୁକୁଡ଼ା, ଘୁଷୁରୀ ବଳି ଦେବାକୁ ପଡିବ ବୋଲି ଲୋକଙ୍କୁ ବତାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ନବରଙ୍ଗପୁର ଖଣ୍ଡିଆଗୁଡାରେ ଅଜଣା ରୋଗ ଆତଙ୍କ, 14 ଦିନରେ ଗଲାଣି 5 ଜୀବନ

ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଗୁରୁମାଇ କହିଥିବା ସବୁ ସରଞ୍ଜାମ, ଘୁଷୁରୀ ଯୋଗାଇ ଦେଇଥିଲେ । ଏହାପରେ ଆରମ୍ଭ ହେଲା ଗ୍ରାମଦେବୀ ଗୁରୁମାଇଙ୍କ ପୂଜାବିଧି । ଗ୍ରାମର ମଝି ଏକ ପଡିଆରେ ଦେବୀଙ୍କୁ ରଖି ତାଙ୍କ ସମ୍ମୁଖରେ ଭୋଗରାଗ ଲାଗିଲା । ଦେଶୀ କୁକୁଡ଼ା ଅଣ୍ଡା ରଖି କିଛି ସମୟ ପୂଜା କରାଗଲା, ଗ୍ରାମକୁ ସୁରକ୍ଷିତ ରଖିବା ପାଇଁ ଚାରି ଦିଗରେ ଲୁହା ଖୁଣ୍ଟି କିଳାଗଲା ଏବଂ ଦେବୀଙ୍କ ପାଖକୁ ଯାଇ ଧୂପଦୀପ ଦେବାପରେ କୁର୍ସି ଗାଁ ବୁଲିଲା ।

ଗ୍ରାମବାସୀ ମାନେ କୁର୍ସି ଦେବତାଙ୍କୁ ପୂଜାକଲେ । କୁର୍ସି ଦେବତା ଯାଇ ବାଲି ଯାତ୍ରା ପଡ଼ିଆରେ ରଖାଗଲା । ଗୁରୁମାଇଙ୍କୁ ଘୁଷୁରୀକୁ ବଳି ଦେବା ପୂର୍ବରୁ ମନ୍ତ୍ର ପଢି ଘୁଷୁରୀକୁ ଭଲ ଭାବେ ଧୋଇ ଚାଉଳ ଖାଇବାକୁ ଦିଆଗଲା । ଗ୍ରାମବାସୀ ମାନେ ଘୁଷୁରୀକୁ ଚାଉଳ ଦେଲେ । ଏହାପରେ ଅସ୍ଥାୟୀ ଭାବେ ପ୍ରତିଷ୍ଠା କରାଯାଇଥିବା ଦେବୀଙ୍କ ସମ୍ମୁଖରେ ବଳି ଦିଆଗଲା । ତାହାକୁ ଦେବୀଙ୍କ ନିକଟରେ ଭୋଗ ଲାଗି କରାଗଲା । ପରିଶେଷରେ ସମସ୍ତ ଲୋକେ ଗୁରୁମାଇଙ୍କ ଆଶୀର୍ବାଦ ନେଲେ ।

ଗୁରୁମାଇ କହିଛି, "ଏବେ ଆଉ କୌଣସି ବିପତ୍ତି ଛୁଇଁବ ନାହିଁ, ମୃତ୍ୟୁର ତାଣ୍ଡବ ବନ୍ଦ ହେବ । ମଦ୍ୟପାନ ଦ୍ୱାରା ମୃତ୍ୟୁ କୁହାଯାଉଛି ଏହା ସତ ନୁହେଁ । ମା'ର ପ୍ରକୋପ ହିଁ କାରଣ ବୋଲି । ଲୋକେ ଏବେ ଶାନ୍ତିରେ ରହିବେ ଆଉ କିଛି ଭୟନାହିଁ ।"

ତେବେ ଏହି ଘଟଣା ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏହା ଲୋକଙ୍କ ବିଶ୍ବାସ ନାଁ ସଚେତନତାର ଅଭାବ ରହିଛି । ଗ୍ରାମର ୫ ଜଣଙ୍କ ମୃତ୍ୟୁ ପରେ ଲୋକଙ୍କ ମନରେ ଜନ୍ମିଥିବା ଅନ୍ଧବିଶ୍ବାସକୁ ଦୂର କରିବାକୁ ହେଲେ ପ୍ରଶାସନ ଦୃଷ୍ଟି ଦେଇ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details