ନବରଙ୍ଗପୁର:କ୍ଷେତରେ ହସୁଛି ସତେଜ ଟମାଟୋ । ଗଛରେ ଫଳିଛି ପେନ୍ଥା ପେନ୍ଥା ସତେଜ ଟମାଟୋ । ସବୁଜ କ୍ଷେତ ଲାଲ ଟମାଟୋରେ ପୂରି ଉଠିଛି । ଆଧୁନିକ ପ୍ରଣାଳୀରେ ଏକର ଏକର ଜମିରେ ହୋଇଥିବା ଟମାଟୋ ଚାଷ ସ୍ଥାନିୟ ଲୋକଙ୍କୁ ରୋଜଗାରର ବାଟ ଦେଖାଇଛି । ନବରଙ୍ଗପୁର ଜିଲ୍ଲାର କୃଷି ଉଦ୍ୟୋଗୀ ହସମୁଖଲାଲ ଚାୱଡାଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଏହି ବୃହତ ଫାର୍ମରେ ଟମାଟୋ ଚାଷ କରି ଲକ୍ଷାଧିକ ଟଙ୍କା ଉପାର୍ଜନ କରିବା ସହ ଅନ୍ୟକୁ ରୋଜଗାର ଦେଇପାରିଛନ୍ତି । ଏହି ଫାର୍ମ ନବରଙ୍ଗପୁର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଓ ରାଜ୍ୟର ଟମାଟୋ ଚାହିଦାକୁ ମେଣ୍ଟାଇ ପାରୁଛି ।
ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜ୍ରାଗୁଡା ଗ୍ରାମକୁ ପ୍ରବେଶ କରିବା ମାତ୍ରେ ଦୃଷ୍ଟିଗୋଚର ହୁଏ ଏକ କୃଷି ଫାର୍ମ । ୪୫ ଏକର ବିଶିଷ୍ଟ ଏହି ଫାର୍ମରେ ୩୨ ଏକରରେ ଚାଷ କରାଯାଇଛି । ଫାର୍ମରେ ଲଗାଯାଇଛି ଉନ୍ନତ କିସମ ହାଇବ୍ରିଡ ଟମାଟୋ ଗଛ। ମୋଟ ୯୬ ହଜାର ଟମାଟୋ ଚାରା ଗତ ଅଗଷ୍ଟ ମାସରେ ରୋପଣ କରାଯାଇଛି । ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଗ୍ରାଫଟେଡ ହୋଇଥିବା ଚାରା ଗୁଡିକରେ ୬୦ ଦିନ ପରେ ଟମାଟୋ ଫଳିବା ଆରମ୍ଭ ହୋଇଥିଲା । ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରିସାଇଜ ଫାର୍ମିଙ୍ଗରେ ବୁନ୍ଦା ଜଳସେଚନ ଦ୍ବାରା ଟମାଟୋ ଚାଷ କରାଯାଇଛି ।
ଜଳସେଚନ ପାଇଁ ପୁରା ୩୨ ଏକର ଜମିରେ ହୁଡା କରାଯାଇ ମଲଚିଙ୍ଗ କରାଯାଇ ଜଳସେଚନ କରାଯାଉଛି । ଜଳସେଚନ ପଦ୍ଧତିଟି ସମ୍ପୂର୍ଣ୍ଣ ରୂପେ ଅଟୋ ମେସନ ଅଟେ । କମ୍ପ୍ୟୁଟରାଇଜ୍ ଅଟୋମେସନରେ ହିଁ ଜଳସେଚନ ଓ ସାର କୀଟନାଶକ ସବୁକିଛି ଗଛ ମୂଳରେ ଦିଆଯାଏ । ଏଥିପାଇଁ ସ୍ବତନ୍ତ୍ର ଟ୍ୟାଙ୍କ ଥିବା ବେଳେ ପାଇପ ଜରିଆରେ ହିଁ ସବୁକିଛି ଗଛ ମୂଳରେ ପହଞ୍ଚିଯାଏ । ପ୍ରତି ଏକର ପିଛା ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଏନେଇ ଫାର୍ମ ପରିଚାଳକ କହିଛନ୍ତି, "ଅତ୍ୟାଧୁନିକ ଶୈଳୀରେ ଟମାଟୋ ଚାଷ କରାଯାଉଛି । ହସମୁଖଲାଲ ଚାୱଡା ଏହି ଫାର୍ମର ଦାୟିତ୍ବ ନେଇଛନ୍ତି । ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଫାର୍ମ ପରିଦର୍ଶନରେ ଆସିଥାନ୍ତି ।"