ନବରଙ୍ଗପୁର: OSSC ତରଫରୁ ରାଜ୍ୟରେ ଅନୁଷ୍ଠିତ ହେଉଛି WEO ପରୀକ୍ଷା (Welfare Extension Officer Exam) । ତେବେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ୪ କିମି ଦୂରରେ ଅବସ୍ଥିତ ପଲିଟେକ୍ନିକ କଲେଜ ଠାରେ WEO ପରୀକ୍ଷା ପାଇଁ ସେଣ୍ଟର ହୋଇଥିବାବେଳେ ଏଠାରେ ଅନେକ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।
OSSC ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଜିଲ୍ଲା ବାହାରକୁ ପରୀକ୍ଷା ଦେବାକୁ ଯାଇ ଖର୍ଚ୍ଚାନ୍ତ ହେଉଥିବାରୁ ସରକାର ନିଜ ଅଞ୍ଚଳରେ ପରୀକ୍ଷା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ଅମାନବୀୟ କାର୍ଯ୍ୟକଳାପ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଏଠାରେ ଆଡମିଟ କାର୍ଡରେ ସକାଳ ୮ଟା ସମୟରେ ପ୍ରବେଶ ଥିବାବେଳେ ଗେଟ ବନ୍ଦ ହେବାର ସମୟ ଥିଲା ୯ଟା । ଏବଂ ପରୀକ୍ଷା ଆରମ୍ଭ ସମୟ ଥିଲା ୯.୩୦ । କିନ୍ତୁ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆସିଥିଲେ ମଧ୍ୟ ଆଇଡି ପ୍ରୁଫ ଓ ସମୟର ଆଳ ଦେଖାଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଶିବାକୁ ଅନୁମତି ଦେଇ ନଥିଲେ କର୍ତ୍ତୃପକ୍ଷ ।