ନବରଙ୍ଗପୁର: ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ହାତକୁ ହାତ ଧରି ପାର ହେଉଛି ନଦୀ । ଆଉ ଏସବୁ ଜାଣି ମଧ୍ୟ ନିରବଦଷ୍ଟା ପ୍ରଶାସନ । ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏବେ ବାହ୍ୟ ଜଗତରୁ 5ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଥିବାବେଳେ ଅଧାରେ ଅଟକି ରହିଛି ଓଲମା ନିକଟସ୍ଥ ସେତୁ । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।
ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଓଲମା ଅଞ୍ଚଳରେ ସେତୁ ହେବ ହେବ ବୋଲି ଆଜି ଯାଏ ହୋଇପାରିଲା ନାହିଁ । ଜିଲ୍ଲାର ପୂର୍ବତନ ବିଧାୟକ ମନୋହର ରନ୍ଧାରୀ 5ଟି ପଞ୍ଚାୟତବାସୀର ଯାତାୟତ ସୁବିଧା ପାଇଁ ସେତୁର ଶୁଭ ଉଦଘାଟନ କରିଥିଲେ । କିନ୍ତୁ ଘଟଣାକୁ ବର୍ଷେ ପୁରୁଥିଲେ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ । ପୁଣି ଥରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ଅଧାରେ ପଡିଛି କାମ । ତେବେ ପ୍ରଶାସନର ଅବହେଳା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବାବେଳେ କାହିଁକି ଅଧାପନ୍ତରିଆ କାମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।