ନବରଙ୍ଗପୁର: ଜଳୁନି କି କାମରେ ଆସୁନି ଷ୍ଟ୍ରୀଟ ଲାଇଟ । ନବରଙ୍ଗପୁର ସଦର ମହକୁମା ଚିକିତ୍ସାଳୟ ଯିବାକୁ ରାସ୍ତାରେ ଲାଇଟର ଅଭାବ । ଲୋକମାନଙ୍କ ମନରେ ଆଶଙ୍କା । ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି । ଷ୍ଟ୍ରିଟ ଲାଇଟ ବହୁଦିନ ହେବ ଜଳୁନଥିବାରୁ ସ୍ଥାନୀୟ ବାସୀନ୍ଦା ଓ ବିଶେଷ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି।
ସୂଚନା ଯୋଗ୍ୟ ଯେ ମୁଖ୍ୟ ସହର ଠାରୁ ମେଡ଼ିକାଲ ଯିବା ପାଇଁ ଦୁଇଟି ରାସ୍ତା ଥିବା ବେଳେ ଗୋଟିଏ ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନାହିଁ । ଅନ୍ୟ ଏକ ରାସ୍ତାରେ ଷ୍ଟ୍ରିଟ ଲାଇଟ ଥିଲେ ମଧ୍ୟ ତାହା ଏବେ ଅଚଳ ଅବସ୍ଥାରେ ପଡ଼ି ରହିଛି । ନବରଙ୍ଗପୁର ସହର ଠାରୁ ମେଡିକାଲ ଯିବାକୁ ୨ କିଲୋମିଟର ଲେଖାଏଁ ଦୁଇଟି ରାସ୍ତା ରହିଛି । ଗୋଟିଏ ନୂଆବନ୍ଧ ଦେଇ ଯାଇଥିବା ବେଳେ ଅନ୍ୟଟି ଦଶହରାପଦା ଦେଇ ଯାଇଛି । ଦଶହରାପଦା ଦେଇ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ହେଇଥିବା ବେଳେ ଅନ୍ୟପଟେ ସଂଯୋଗ ହେଇପାରି ନାହିଁ । ତେବେ ଦଶହରାପଦା ଦେଇ ଯାଇଥିବା ସହରବାସୀଙ୍କ ଷ୍ଟ୍ରିଟ ଲାଇଟ ଏବେ ଅଚଳ ।
ଏହି ଦୁଇ ରାସ୍ତା ଦେଇ ଅନେକ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବାସଭବନ ରହିଛି । ଏହାସହ ସହରର ସବୁଠାରୁ ଗହଳି ରାସ୍ତା । ଏହି ଦୁଇ ରାସ୍ତାରେ ଷ୍ଟ୍ରିଟ ଲାଇଟ ସଂଯୋଗ କରିବା ନିମନ୍ତେ ଓକିଲ ସଂଘ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି ।