ନବରଙ୍ଗପୁର: ନବରଙ୍ଗପୁର କାଜୁ ବଜାରରେ ସଙ୍କଟର ବାଦଲ ଦେଖାଦେଇଛି । କାଜୁର ଚାହିଦା କମୁଥିବା ବେଳେ ଉତ୍ପାଦନ ବଢୁଛି । ହେଲେ ଖର୍ଚ୍ଚ ତୁଳନାରେ ମିଳୁନି ଲାଭ । ଫଳରେ ଗୋଟିଏ ପରେ ଗୋଟି କାଜୁ ମିଲ ବନ୍ଦ ହେବାରେ ଲାଗିଛି । ଜିଲ୍ଲ।ରେ କାଜୁ ଅନ୍ୟ ଏକ ଅର୍ଥକାରୀ ଫସଲ ଭାବେ ସ୍ଥାନ ପାଇଛି । କିନ୍ତୁ କାଜୁ ମାଲିକ ମାନେ ଚାହିଦା ଓ ବଜାର ଅଭାବରୁ ମିଲ ଗୁଡିକୁ ଆଉ ଚଳାଇବାକୁ ଇଚ୍ଛା କରୁନାହାନ୍ତି ।
ନବରଙ୍ଗପୁର ମାଟିରେ କାଜୁ ଉତ୍ପାଦନ ହୋଇଥାଏ । ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 70 ପ୍ରତିଶତ କାଜୁ ମଞ୍ଜି ମିଳୁଥିବା ବେଳେ ବାହାରୁ 30 ପ୍ରତିଶତ ଆସିଥାଏ । ଏଥିଯୋଗୁଁ ଜିଲ୍ଲାର ଅର୍ଥବ୍ୟବସ୍ଥା ପ୍ରାୟତଃ କାଜୁ ଉପରେ ନିର୍ଭରଶୀଳ । ଏଠାକାର ଚାଷୀ ଠାରୁ ଶ୍ରମିକ ସମସ୍ତେ କାଜୁ ଚାଷ ଓ ମିଲରେ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଏବେ ଜିଲ୍ଲାରେ ରହିଥିବା ମୋଟ 32ଟି କାଜୁ ମିଲ ଭିତରୁ 5ଟି ମିଲ ବନ୍ଦ ହୋଇଗଲାଣି । ବଜାରରେ ଆଶାତୀତ ଚାହିଦା ନଥିବା ବେଳେ ପ୍ରୋସେସିଙ୍ଗ ଖର୍ଚ୍ଚ ବଢିଚାଲିଛି । ସେପଟେ କାଜୁ ମଞ୍ଜି ବି ମହଙ୍ଗା ହେଉଛି । ଅତ୍ୟଧିକ ଦରରେ କାଜୁମଞ୍ଜି କିଣି ମିଲ ଚଳାଇବା କଷ୍ଟକର ହୋଇପଡୁଛି । ତେଣୁ କ୍ଷତି ସହି ନ ପାରି ମିଲ ମାଲିକ କାମ ବନ୍ଦ କରୁଛନ୍ତି ।