ନବରଙ୍ଗପୁର: ସ୍ବାର୍ଥପର ସମାଜରେ ଆଜି ବି ଜୀବିତ ଅଛି ମାନବିକତା । ଜଣେ ଅସହାୟ ବୃଦ୍ଧଙ୍କୁ ନିଜ ପରିବାର ପାଖକୁ ଫେରାଇ ନେବାରେ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ ଯୁବକ । ଇନ୍ଦ୍ରାବତୀ ନବଜ୍ୟୋତି ସୋସିଆଲ ଫାଉଣ୍ଡେସନ ନାମକ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ଏଭଳି ମାନବିକତା ଦେଖିବାକୁ ମିଳିଛି ନବରଙ୍ଗପୁରରେ ।
ସୂଚନା ଅନୁଯାୟୀ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡୀ ଜିଲ୍ଲା ଅଶୋକ ନଗରରୁ ଆସିଥିବା ଅରୁଣ ବିକାଜେ ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପରିବାର ପାଖରେ ପହଞ୍ଚାଇଛନ୍ତି । ବୃଦ୍ଧ ଜଣକ ଗତ କିଛିମାସ ତଳେ ନିଜ ସହଯୋଗୀଙ୍କ ସହ ନବରଙ୍ଗପୁର ଜିଲ୍ଲା ରାଇଘରରେ ବଢେଇ କାମ କରିବାକୁ ଆସିଥିଲେ।
ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସହଯୋଗୀ ଜଣକ ତାଙ୍କୁ ଏକା ଛାଡି ତେଲେଙ୍ଗାନା ଚାଲି ଯାଇଥିଲେ । ଆଉ ଏହାର କିଛିଦିନ ପରେ ବୃଦ୍ଧଙ୍କ ସଡ଼କ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ତାଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଥିଲା।
ଅନ୍ୟପଟେ ବୃଦ୍ଧଙ୍କ ଫୋନ ନମ୍ବର ଖାତାଟି ହଜି ଯାଇଥିବାରୁ ପରିବାର ଲୋକଙ୍କ ସହ ଯୋଗାଯୋଗ ଆଉ ସମ୍ଭବ ହୋଇ ନପାରି ୬ ମାସ ହେବ ନବରଙ୍ଗପୁର ବସଷ୍ଟାଣ୍ଡ ଅଞ୍ଚଳରେ ଭିକ୍ଷାବୃତ୍ତି କରି ଆସୁଥିଲେ।