ନବରଙ୍ଗପୁର: ଏବେ ବି ବଞ୍ଚିଛି ମାନବିକତା । ନବରଙ୍ଗପୁର ସହରରେ ଥିବା ଏସ ଆର ପେଟ୍ରୋଲ ପମ୍ପ ପାଖରେ ପଡି ରହିଥିଲା ଗୋଟିଏ ମନିପର୍ସ । ଜିଲ୍ଲାର ପୋଡାଲଗୁଡା ଗ୍ରାମର ସମାଜସେବୀ ଉରିଓ ଭତ୍ରା ଏହି ମନିପର୍ସ ପାଇଥିଲେ । ପରେ ସେ ଉକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ସେ ପର୍ସଟିକୁ ଫେରାଇବାର ବ୍ୟବସ୍ଥା କରିଥିଲେ ।
ମନିପର୍ସ ଭିତରେ ୧୮୦୦ ଟଙ୍କା ସହିତ ଭୋଟର କାର୍ଡ, ଏଟିଏମ କାର୍ଡ, ପାନ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପୋଲିସ ଆଇଡି କାର୍ଡ ଥିଲା । ପୋଲିସ ଆଇଡି କାର୍ଡରେ ଏକ ଫୋନ ନମ୍ବର ଲେଖାଥିଲା। ଉକ୍ତ ମୋବାଇଲ ନମ୍ବରରେ ଭତ୍ରା କଲ କରିବାରୁ ଜଣାପଡିଥିଲା ଯେ, ଏହି ମନିପର୍ସ ନବରଙ୍ଗପୁର ଆଦର୍ଶ ଥାନାର ଏସଆଇ ଦେବଦତ୍ତ ମଲ୍ଲିକଙ୍କର ବୋଲି । ପରେ ସମୟ ସୁବିଧା ନେଇ ସେହି ମନିପର୍ସ ସହିତ ସମସ୍ତ କାର୍ଡ ଆଣି ନବରଙ୍ଗପୁର ଥାନାରେ ଏସଆଇ ଦେବଦତ୍ତ ମଲ୍ଲିକଙ୍କୁ ଦେଇଛନ୍ତି ।