ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଥାନା ଅଞ୍ଚଳର ଗୌଡ଼ ଦେଓପାଲିରେ ଗତ ୭ ମାର୍ଚ୍ଚରେ ଚନ୍ଦ୍ର ଗୌଡ଼ଙ୍କ ଘରୁ ଡକାୟତି ହୋଇଥିଲା । ଏନେଇ ଖାତିଗୁଡା ଥାନାରେ କେସ ନମ୍ବର ୨୨ ଆଧାରରେ ତଦନ୍ତ ଜାରି ରଖିଥିଲା ଖାତିଗୁଡା ପୋଲିସ । ତେବେ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାକୁ ନେଇ ଆଜି ଖାତିଗୁଡା ଥାନାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏଏସ୍ପି ଚନ୍ଦ୍ରଶେଖର ହୋତା । ତଦନ୍ତରୁ ପୋଲିସ ଯେଉଁ ନିଷ୍କର୍ଷରେ ପହଞ୍ଚିଛି ସେନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ଏଏସ୍ପି ଚନ୍ଦ୍ରଶେଖର ହୋତା ।
ତାଙ୍କ ସୂଚନା ଅନୁସାରେ ଚନ୍ଦ୍ର ଗୌଡ଼ଙ୍କ ସମ୍ପର୍କୀୟ ଦେଢ଼ଶାଶୁ ଅଇଁଲା ଗୌଡ଼ ହିଁ ଏହି ଚୋରି ଯୋଜନାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଅଇଁଲା ହିଁ ଚନ୍ଦ୍ରଙ୍କ ଗୌଡ଼ ଘରେ ଥିବା ପୁରାତନ ବ୍ରୋଞ୍ଜ ଥାଳି ଓ ତମ୍ବା ମୁଦ୍ରାକୁ ଚୋରାଇବାକୁ ଯୋଜନା କରିଥିଲେ । ତଥାକଥିତ ବ୍ରୋଞ୍ଜ ଥାଳି ଓ ମୁଦ୍ରାର ଚମତ୍କାର ଗୁଣ ରହିଛି, ଯାହାର ମାର୍କେଟ ଦର କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି । ତେଣୁ ସେ ଷଡ଼ଯନ୍ତ୍ର କରିଥିବା ସୂଚନା ଦେଇଛି ପୋଲିସ । ସାନଦେବତାଗୁଡାର ସଞ୍ଜୀବ ନାୟକ ସହ କଥା ହୋଇ ଡକାୟତି ପାଇଁ ପିଲା ଯୋଗାଡ଼ ପାଇଁ କହିଥିଲା ଅଇଁଲା ଗୌଡ଼ । ନିଶନାହାଣ୍ଡିର ରାଜେନ୍ଦ୍ର ହରିଜନଙ୍କ ସହ ଯୋଗାଯୋଗ କରିଥିଲା ସଞ୍ଜୀବ । ପରେ ସଞ୍ଜୀବ ସହ ରାଜେନ୍ଦ୍ର ହରିଜନ ମିଶି ଅନ୍ୟ ୧୧ ଜଣ ଯୋଜନା କରି ଚନ୍ଦ୍ର ଗୌଡ଼ଙ୍କ ଘରେ କବାଟ ଭାଙ୍ଗି ପଶିଥିଲେ । ଖଣ୍ଡା ଛୁରୀ ମୁନରେ ପରିବାର ସଦସ୍ୟଙ୍କୁ ରଖି ବ୍ରୋଞ୍ଜ ଥାଳି, ତମ୍ବା ମୁଦ୍ରା, ଗୋଟିଏ ସୁନା ଚେନ୍ ଓ ୮୦ ହଜାର ଟଙ୍କା ଚୋରି କରିବା ସହ ଭୟଭୀତ କରିବା ପାଇଁ ଚନ୍ଦ୍ରଙ୍କ ଝିଅ ପୁଷ୍ପାକୁ ଛୁରୀରେ ଆଘାତ କରିଥିଲେ ।