ନବରଙ୍ଗପୁର:ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମରେ ଅଜଣା ରୋଗ ଆତଙ୍କରେ କୋକୁଆ ଭୟ ସୃଷ୍ଟି ହୋଇଛି। 14 ଦିନରେ 5 ମୁଣ୍ଡ ନେଲାଣି ଅଜଣା ରୋଗ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ମଦ୍ୟପାନ କାରଣରୁ ମୃତ୍ୟୁ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ମୃତ୍ୟୁର କାରଣ ଖୋଜୁଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ। ସେପଟେ ଖଣ୍ଡିଆଗୁଡ଼ା ଗ୍ରାମରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି। ଯୁଆଡେ ଚାହିବ କୁଢ କୁଢ ଆବର୍ଜନା ଓ ଖାଲି ଦେଶୀ ମଦ ପାଉଚ୍ ଭର୍ତ୍ତି ହୋଇଛି । ଅତ୍ୟଧିକ ମଦ୍ୟପାନ କରି ଲୋକଙ୍କ ଜୀବନ ଯାଉଥିବା ଅନୁମାନ କରାଯାଉଥିବାବେଳେ ପ୍ରକୃତ କାରଣର ଟେର ପାଉନାହିଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଗାଁରେ ଅଜଣା ରୋଗ ଆତଙ୍କୁ ନେଇ ପଢନ୍ତୁ ଏହି ବିଶେଷ ରିପୋର୍ଟ ।
ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଗାଁରେ 5ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ କହାଯାଉଛି । ପ୍ରଶାସନର ଆଖିଦୃଶିଆ ତତ୍ପରତା ଦେଖିବାକୁ ମିଳିଛି । ଗାଁରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁର କାରଣ ବିଷାକ୍ତ ମଦ ନାଁ ଅନ୍ୟ କିଛି ତାହାର ତଦନ୍ତ ହେବା ଜରୁରୀ ହୋଇଛି । ଅନ୍ୟପକ୍ଷରେ ଏହାକୁ ନେଇ ଗ୍ରାମବାସୀ ମନରେ ଅନ୍ଧବିଶ୍ବାସ ସ୍ଥାନ ନେଇଛି । ଗାଁରେ ଥିବା ଦେବୀ, ଦେବତାଙ୍କ ପୂଜାବିଧି ଠିକ୍ରେ ହେଉ ନ ଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀଙ୍କ ମନରେ ସନ୍ଦେହ ପଶିଛି । ଗାଁକୁ ଗୁଣିଆ ଆଣି ପୂଜା କରିବା କଥାକୁ ସ୍ବୀକାର କରିଛନ୍ତି ଗ୍ରାମବାସୀ ।