ନବରଙ୍ଗପୁର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ । ଡେଙ୍ଗୁ ପରେ ରାଜ୍ୟରେ ଭୟ ବଢାଇଲାଣି ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଏଥିରେ ନବରଙ୍ଗପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ହେଲେ ଏନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ତେଣୁ ଗତକାଲି ଜିଲ୍ଲା କଂଗ୍ରେସ ମୁନା ତ୍ରିପାଠୀଙ୍କ ନେତୃତ୍ୱ ଏକ ଟିମ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ।
ତେବେ ପରିସ୍ଥିତି ଭୟାବହ ହେବା ଆଗରୁ ପ୍ରଶାସନ ଆଗୁଆ ପଦକ୍ଷେପ ନେବା ସହ ଜନ ସଚେତନତା କରିବାକୁ ଅନୁରୋଧ କରିଛନ୍ତି । ତତ ସହିତ ଗାଁ ଗାଁରେ ବ୍ୟାନର ମାରିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି ହୋଇଛି l
ନବରଙ୍ଗପୁର ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟ ଜିଲ୍ଲା ମାନଙ୍କରେ କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ । ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ପୂର୍ବରୁ ଓଡ଼ିଶାରେ ସ୍କବ୍ ଟାଇଫସ ଦେଖିବାକୁ ମିଳୁ ନଥିବା ବେଳେ ବିଗତ କିଛି ବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି ।