ନବରଙ୍ଗପୁର:ବାୟା କଲା ରିଲ୍ସ ନିଶା । ଗୋଟିଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁଲେ ସ୍କୁଲ ଛାତ୍ର, ଅଳ୍ପକେ ବର୍ତ୍ତିଗଲା ଜୀବନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ସ୍କୁଲ ଛାତ୍ର ଏକ ଛାତରୁ ନିକଟରେ ଥିବା ଆଉ ଏକ ଆଜବେଷ୍ଟ ଘରକୁ ଡେଉଁଥିଲେ । ଏହାପରେ କିନ୍ତୁ ଯାହା ଘଟିଲା ତାହା ସମସ୍ତେ ଦେଖି ଚକିତ ହୋଇଯାଇଥିଲେ । ଡେଇଁବା ସମୟରେ ଆଜବେଷ୍ଟଟି ଭାଙ୍ଗିବାରୁ ଛାତ୍ର ଜଣଙ୍କ ଘର ଭିତରେ ପଶିଯାଇଥିଲେ । ଏହାପରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଘର ମଧ୍ୟକୁ ଯାଇ ତାଙ୍କୁ ଉଦ୍ଧାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଏପରି ଘଟଣା ଘଟିଥିବା ଜଣାପଡିଛି। ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ୍ ସମୟରେ ରିଲ୍ସ ବନେଇବା ନିଶାରେ ଜଣେ ଛାତ୍ର ଗୋଟିଏ ଛାତରୁ ଅନ୍ୟ ଏକ ଏକ ଛାତକୁ ଡେଇଁଥିଲେ। l ଏହାର ଭିଡିଓ ଭାଇରାଲ ପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉକ୍ତ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 7ଜଣ ଛାତ୍ରଙ୍କୁ ସ୍କୁଲରୁ ଟିସି ଦେଇଛନ୍ତି ପ୍ରଧାନଶିକ୍ଷକ । ଅନ୍ୟପଟେ ଉକ୍ତ ଛାତ୍ର ମାନଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପରେ ଅବିଭାବକ ମାନେ ପରୀକ୍ଷା ହେବା ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କୁ ରହିବାକୁ ଅନୁରୋଧ କରିଥିଲେ ।
ଗତ ୧୪ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ମାନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦିନ ପ୍ରାୟ ୧୧ଟା ସମୟରେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ l ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ହତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ । ଉକ୍ତ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ଏହି ଘଟଣା ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଥିଲା ।