ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ ଆଗାମୀ ଭବିଷ୍ୟତ... - ନବରଙ୍ଗପୁର ସ୍କୁଲ ଅବ୍ୟବସ୍ଥା ପ୍ରସଙ୍ଗ

ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ହୃତପିଣ୍ଡ । ଏପରି ନାରା ଦେଇ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଆକର୍ଷିତ କରିବାକୁ ସରକାର କରୁଛନ୍ତି ଅନେକ ଚେଷ୍ଟା । ତଥାପି ପ୍ରାଥମିକ ଶିକ୍ଷା ତ ଦୂର ବିଦ୍ୟାଳୟର ଅବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟ ମାଟି ମାଡିବାକପ ନାଁ ଧରୁ ନାହାନ୍ତି ପିଲାଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Oct 20, 2019, 4:43 AM IST

ନବରଙ୍ଗପୁର: ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ହୃତପିଣ୍ଡ । ଏପରି ନାରା ଦେଇ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଆକର୍ଷିତ କରିବାକୁ ସରକାର କରୁଛନ୍ତି ଅନେକ ଚେଷ୍ଟା । ତଥାପି ପ୍ରାଥମିକ ଶିକ୍ଷା ତ ଦୂର ବିଦ୍ୟାଳୟର ଅବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟ ମାଟି ମାଡିବାକପ ନାଁ ଧରୁ ନାହାନ୍ତି ପିଲାଏ । ଏପରି ସ୍ଥିତିରେ ଅନେକ ପିଲା ଅଧାରୁ ପାଠ ପଢା ଛାଡିବା ପାଇଁ ମଧ୍ୟ ବାଧ୍ୟ ହେଉଛନ୍ତି । ତେବେ ଅବ୍ୟବସ୍ଥା ଓ ଅବହେଳାର ଶିକାର ହେଉଥିବା ଏପରି ଏକ ସ୍କୁଲ ହେଉଛି ଝରିଗାଁ ବ୍ଲକ ଅନ୍ତର୍ଗତ ଭିକ୍ଷା ପଞ୍ଚାୟତର ଡଙ୍ଗରୀ ସାହି ପ୍ରାଥମିକ ବିଦ୍ୟାଳୟ ।

ଏଠାରେ ପ୍ରଥମଠାରୁ ପଞ୍ଚମ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀରେ ପଢସନ୍ତି ମୋଟ 98ଜଣ ବିଦ୍ୟାର୍ଥୀ । ହେଲେ ବିଡମ୍ବନାର ବିଷୟ କି ସମସ୍ତ ପାଞ୍ଚଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ରହିଛି ମାତ୍ର 2ଟି ଶ୍ରେଣୀଗୃହ । ନା ଅଛି ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ, ନା ଅଛନ୍ତି ପର୍ଯ୍ୟାପ୍ତ ଶିକ୍ଷକ । ରୋଷେଇଘରଟିଏ ମଧ୍ୟ ନଥିବାରୁ ବର୍ଷା ଦିନେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ଖୋଲା ଆକାଶ ତଳେ ପିଲାଙ୍କ ପାଇଁ ପ୍ରସ୍ତୁତ ହୁଏ ମଧ୍ୟାହ୍ନ ଭୋଜନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପିଲାମାନେ ମଧ୍ୟ ଖୋଲା ଆକାଶ ତଳେ, ରାସ୍ତା ଉପରେ ବସି ଖାଆନ୍ତି ମଧ୍ୟାହ୍ନ ଭୋଜନ । ଏଥିସହ ବିଦ୍ୟାଳୟରେ ନଳକୂପର ଅଭାବ ଯୋଗୁଁ ନିକଟସ୍ଥ ପୋଖରୀରେ ବିପଜ୍ଜନକ ଅବସ୍ଥାରେ ବାସନ ଧୁଅନ୍ତି ଛାତ୍ରଛାତ୍ରୀ । ନଳକୂପ ପାଇଁ ଗାଁର ଅଧା ବାଟ ଯିବାକୁ ପଡୁଥିବାରୁ ପିଲାଏ ବାଧ୍ୟ ହୋଇ ପୋଖରୀକୁ ଯାଉଥିବା ସ୍ବୀକାର କରିଛନ୍ତି । ଅନ୍ୟପଟେ ଭିକ୍ଷା ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର 100 ମିଟର ଦୂରରେ ଅବସ୍ଥିତ ଏହି ସ୍କୁଲ ସମସ୍ତ ସୁବିଧାରୁ ଢେର ଦୂରରେ ବୋଲି କହିଛନ୍ତି ବିଦ୍ୟାଳୟ କମିଟି ସଭାପତି ସମୁଦୁ ଭତ୍ରା ।

ଏନେଇ ସ୍ଥାନୀୟ ସରପଞ୍ଚ ରାକ୍ଷୀରାମଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଓ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛୁ ତଥାପି ଫଳ ଶୂନ । ତତ୍କାଳୀନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ବିଦ୍ୟାଳୟର ଅବସ୍ଥା ନିଜେ ଦେଖି ଏହାର ତୁରନ୍ତ ସମାଧାନ ସ୍ବରୂପ ଏକ ନଳକୂପ ଖନନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ଅଟକି ଯାଇଛି । ଫଳରେ ବିଦ୍ୟାର୍ଥୀ ଅସ୍ବାସ୍ଥ୍ୟକର ପରିବେଶରେ ପଢିବାକୁ ବାଧ୍ୟ ହେଉଛନ୍ତି ।

ବିଦ୍ୟାଳୟର ଅବ୍ୟବସ୍ଥା ନେଇ ପ୍ରଧାନଶିକ୍ଷକ ରାଜକିଶୋର ଦାସଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟର ସମସ୍ୟା ଗୁଡିକ ଅଧିକାରୀଙ୍କୁ ଜଣାଯାଇଛି ବୋଲି ସେ କହିଥିଲେ । ତେବେ ରୋଷେଇ ଘର, ନଳକୂପ, ଶ୍ରେଣୀ ଗୃହ ଓ ପାଚେରୀ ପ୍ରଭୃତି ସମସ୍ୟାର ଶୀଘ୍ର ସମାଧାନ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details