ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଶହୀଦ ଦିବସ, ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ - ନବରଙ୍ଗପୁରରେ ସହିଦ ଦିବସ

ନବରଙ୍ଗପୁରରେ ଶହୀଦ ଦିବସ ପାଳିତ । ଇଂରେଜ ସରକାରଙ୍କ ପୋଲିସର ଗୁଳିରେ ଭାରତ ଛାଡ଼ ଆନ୍ଦୋଳନର ଅନେକ ସଂଗ୍ରାମୀ ଆଜିର ଦିନରେ ଏଠାରେ ଶହୀଦ ହୋଇଥିଲେ । ଶହୀଦ ସ୍ମୃତି କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରାରେ ଜିଲ୍ଲାପାଳ, ସାଂସଦଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ହେଇଥିଲେ । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ସହିଦ ଦିବସ, ବୀର ସ୍ବାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ
ନବରଙ୍ଗପୁରରେ ସହିଦ ଦିବସ, ବୀର ସ୍ବାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ

By

Published : Aug 24, 2022, 10:51 PM IST

ନବରଙ୍ଗପୁର: ପାପଡ଼ାହାଣ୍ଡିସ୍ଥିତ ଟୁରି ନଦୀ କୂଳରେ ଶହୀଦ ଦିବସ ଅନୁଷ୍ଠିତ । ଇଂରେଜ ମାନଙ୍କ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଅନୁପ୍ରାଣିତ ହୋଇ ଏଠାରେ ଗଢ଼ି ଉଠିଥିବା ମେଳିକୁ ଘୋଉଡାଇବା ପାଇଁ ଆଜିର ଦିନରେ ଇଂରେଜ ସରକାରଙ୍କ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏଥିରେ ୧୯ ଜଣ ବୀର ପୁରୁଷ ଶହୀଦ ହୋଇଥିଲେ । ତେବେ ସେମାନଙ୍କୁ ମନେ ପକାଇବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଏ ।

ନବରଙ୍ଗପୁରରେ ଶହୀଦ ଦିବସ

ପ୍ରକୃତିର ଗନ୍ତାଘରରେ ପରିପୂର୍ଣ୍ଣ ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁର ଜିଲ୍ଲା l କିନ୍ତୁ ଏହି ଉପାନ୍ତ ଅଞ୍ଚଳର ମହତ କାର୍ଯ୍ୟ ସ୍ବାଧୀନତା ସଂଗ୍ରାମର ଇତିହାସରେ ସବୁବେଳେ ଚିର ସ୍ମରଣୀୟ l 1942 ମସିହା ଅଗଷ୍ଟ 9 ତାରିଖ ରେ 'ଭାରତ ଛାଡ଼ ଆନ୍ଦୋଳନ' ଆରମ୍ଭ ହେବା ପରେ ତାହାର ବିଶେଷ ପ୍ରଭାବ ପଡିଥିଲା ଏଠାରେ l ଇଂରେଜ ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ପାଇଁ ଜିଲ୍ଲାର ହଜାର ହଜାର ସ୍ବାଧୀନତା ସଂଗ୍ରାମୀ ଏକତ୍ରିତ ହେବାକୁ ଲାଗିଲେ । ଏହି ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀଙ୍କ ଆହ୍ବାନ କ୍ରମେ ନବରଙ୍ଗପୁର ସହର ନିକଟ ତାରା ଗାଁ ଠାରୁ ଅଳ୍ପ ଦୂରରେ ଥିବା ଗୁମ୍ମାଗୁଡା ନାମକ ଏକ ଗାଁ ନିକଟରେ 23 ଅଗଷ୍ଟ 1942 ମସିହା ସନ୍ଧ୍ୟାରେ ପ୍ରାୟ 5000 ସଂଗ୍ରାମୀ ଏକତ୍ରିତ ହୋଇଥିଲେ l

ପାରେ 24 ଅଗଷ୍ଟ 1942ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସଂଗ୍ରାମୀ ଆସି ଟୁରି ନଦୀ କୂଳରେ ଜମା ହୋଇ ଇଂରେଜ ବିରୋଧରେ ନାରାବାଜି ଆରମ୍ଭ କରିଦେଇଥିଲେ l ପରେ ଘଟଣା ସ୍ଥଳକୁ ପୋଲିସ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘୋଉଡାଇବା ପାଇଁ ଚେଷ୍ଟା କଲେ । କିନ୍ତୁ ଆନ୍ଦୋଳନକାରୀମାନେ ଏହାକୁ ଭୃକ୍ଷେପ ନକରି ଆହୁରି ପ୍ରତିକ୍ରିୟାଶୀଳ ହେବା ପରେ ପୋଲିସ ଉତ୍ୟକ୍ତ ହୋଇ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା l ଗୁଳି ଚାଲିବା ଦେଖି ଅନେକ ଛତ୍ରଭଙ୍ଗ ଦେଲେ । କିଛି ରକ୍ତାକ୍ତ ଅବସ୍ଥାରେ ନଦୀ ସ୍ରୋତକୁ ଡେଇଁ ପ୍ରାଣ ତ୍ୟାଗ ମଧ୍ୟ କଲେ । ଏହି ହୃଦୟ ବିଦାରକ ଘଟଣାରେ ଅନେକଙ୍କ ଜୀବନ ଯାଇଥିବା ବେଳେ ସରକାରୀ ହିସାବରେ କେବଳ 19 ଜଣଙ୍କ ନାମ ଏହି ଶହୀଦ ମିନାରରେ ଉଲେଖ ଅଛି ।

ତେବେ ଆଜି ସହିଦ ସ୍ମୃତି କମିଟି ପକ୍ଷରୁ ପ୍ରଜ୍ବଳିତ ଶହୀଦ ମଶାଲ ନବରଙ୍ଗପୁର ସହରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାପଡାହାଣ୍ଡି ଶହୀଦ ମିନାର ନିକଟରେ ପହଞ୍ଚିଥିଲା । ସେହି ସହିଦ ମାନଙ୍କୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ 24 ତାରିଖରେ ଏହି ଶହୀଦ ମିନାର ନିକଟରେ ଥିବା ଟୁରି ନଦୀ କୂଳରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details