ନବରଙ୍ଗପୁର: ଜାତିପ୍ରଥା ଆଗରେ ମରିଗଲା ମାନବିକତା । ଝିଅ ଅଜାତିରେ ବାହା ହୋଇଥିବାରୁ ମାଆର ମୃତଦେହକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ଅନ୍ତିମ ସଂସ୍କାର କରିବାକୁ ଆସିଲେନି ସାହିଭାଇ । ଏହିଭଳି ଏକ ହୃଦୟ ବିଦରକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରୁ । ସମ୍ପର୍କୀୟ ନ ଆସିବାରୁ ଶେଷରେ ସ୍ଥାନୀୟ ଅଞ୍ଚଳର କିଛି ଯୁବ ସମାଜସେବୀ ମୃତଦେହକୁ କାନ୍ଧ ଦେଇ ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ କରିଛନ୍ତି ।
ଘଟଣା ଅନୁସାରେ, ଖାତିଗୁଡା ଗାଁରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ର ପାଇକ ଜାତିର । ହେଲେ ତାଙ୍କ ଝିଅ ଯମୁନା ପାତ୍ର ପାଞ୍ଚ ବର୍ଷ ତଳେ ପିତାମ୍ବର ହରିଜନ ନାମକ ହରିଜନ ଜାତିର ପୁଅକୁ ପ୍ରେମ ବିବାହ କରିଥିଲେ । ବର୍ଷ ତଳେ ମାଆ ଲକ୍ଷ୍ମୀଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ଘରେ କେବଳ ନାବାଳକ ସାନଭାଇ ଥିବାରୁ ଯମୁନା ବର୍ଷେ ହେଲା ମାଆ ପାଖରେ ରହି ସେବା ଶୁଶ୍ରୂଷା କରିଆସୁଥିଲେ । ଯମୁନାଙ୍କ ସ୍ୱାମୀ ପିତାମ୍ବର ହରିଜନ ମଧ୍ୟ ଅନେକ ସମୟରେ ଶ୍ବଶୁର ଘରକୁ ଯିବା ଆସିବା କରୁଥିଲେ । ଗତକାଲି ରାତିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀର ମୃତ୍ୟୁ ହୋଇଯାଇଥିଲା । ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଅଣାଯାଇଥିଲା । ଅଜାତିରେ ବାହା ହୋଇଥିବାରୁ ମାଆର ମୃତଦେହକୁ ଛୁଇଁଲେ ସମ୍ପର୍କୀୟମାନେ କାଳେ ବିରୋଧ କରିବେ ବୋଲି ଝିଅ ଯମୁନା କେଉଁଆଡ଼େ ଚାଲି ଯାଇଥିଲେ । ତଥାପି କେହି ସମ୍ପର୍କୀୟ ମୃତଦେହ ପାଖ ମାଡିନଥିଲେ ।