ନବରଙ୍ଗପୁର: ସାପକୁ କାହାର ବା ଡର ନାହିଁ । ସମସ୍ତଙ୍କ ମନରେ ଏହି ବିଷାକ୍ତ ସରୀସୃପକୁ ନେଇ ଢେର ଭୟ । ଯେକୌଣସି ସାପକୁ ଦେଖିଲେ ମନରେ ପଶିଯାଏ ଛନକା । ହେଲେ ରାଜ୍ୟରେ ରହିଛି ଏପରି ଏକ ଗ୍ରାମ, ଯେଉଁଠିକାର ଅଧିବାସୀଙ୍କୁ ନାହିଁ ସାପ ପ୍ରତି କୌଣସି ଭୟ । ବରଂ ସାପରୁ ଏମାନେ ସୁସ୍ବାଦୁ ତରକାରୀ ପ୍ରସ୍ତୁତ କରି ଉଠାଇଥାଆନ୍ତି ଏହାର ଢେର ମଜା । ଏ ହେଉଛି ନବରଙ୍ଗପୁର ଜିଲ୍ଲା ରଙ୍ଗମାଟିଗୁଡା ଗାଁର ଦୃଶ୍ୟ । ଯେଉଁଠି ବସବାସ କରୁଥିବା ଭୂମିଆ ସମ୍ପ୍ରଦାୟ ପାଇଁ ପ୍ରିୟ ଖାଦ୍ୟ ହେଉଛି ସାପ ଓ ବେଙ୍ଗ । ଢମଣା, ଡଣ୍ଡିଆ ଭଳି ସାପ ଓ ଓଁଆ ପରି ବେଙ୍ଗ ଆଦି ଏମାନଙ୍କ ପସନ୍ଦର ଖାଦ୍ୟ ମଧ୍ୟରେ ଅନ୍ୟତମ ।
ଏହି ସମ୍ପ୍ରଦାୟର ଅଧିବାସୀଙ୍କ କହିବା କଥା କି ଶରୀରର ଅନେକ ରୋଗ ବ୍ୟାଧି ଦୂର କରିବାରେ ସକ୍ଷମ ସାପ ମାଂସ । ଏହି ମାଂସରେ ଥିବା ଔଷଧୀୟ ଗୁଣ ଯୋଗୁଁ ପେଟ ବ୍ୟଥା ଓ ଅନ୍ୟ ସମସ୍ୟା ଦୂର ହୋଇଥାଏ । ସମାନ ସମ୍ପ୍ରଦାୟରେ ହେଲେ ସୁଦ୍ଧା ଅନେକେ ଏହାକୁ ପସନ୍ଦ କରନ୍ତି ନାହିଁ । ଆଉ ଯେଉଁମାନେ ଏହି ସୁସ୍ବାଦୁ ଖାଦ୍ୟର ମଜା ଉଠାଇଛନ୍ତି ସେମାନେ ହଇଯାଇଛନ୍ତି ଏହି ଖାଦ୍ୟର ବଡ ପ୍ରଶଂସକ । କିଛି ଅଧିବାସୀ ମାଂସର ବିକଳ୍ପ ଭାବେ ସାପ ଓ ବେଙ୍ଗ ମାଂସ ଖାଉଥିବା ବେଳେ କିଛି ଅଧିବାସୀ ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଭକ୍ଷଣ କରିଥାଆନ୍ତି । ଏହା ସାଧାରଣ ଲୋକଙ୍କୁ ଶୁଣିବାକୁ ଅଡୁଆ ଲାଗୁଥିବା ସତ୍ତ୍ବେ ଭୂମିଆଙ୍କ ପାଇଁ ଏହା ଏକ ପ୍ରିୟ ଖାଦ୍ୟ ।