ନବରଙ୍ଗପୁର: ଆଶାକର୍ମୀଙ୍କ ଜଘନ୍ୟ କାଣ୍ଡ । ଚିକିତ୍ସା ବାହାନାରେ ଗର୍ଭବତୀ ମହିଳାଙ୍କୁ ସାଙ୍ଗରେ ନେଇ ନିଜ ସ୍ବାମୀ ଦ୍ବାରା ଦୁଷ୍କର୍ମ କରାଇଲେ ଆଶାକର୍ମୀ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅଞ୍ଚଳରେ । ପୀଡିତା ୫ ମାସର ଗର୍ଭବତୀ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ନିଜ ସହ ଡାକି ନେଇଯାଇଥିଲେ । ଏହାପରେ ସମ୍ପୃକ୍ତ ଗର୍ଭବତୀଙ୍କ ସହ ଦୁଷ୍କର୍ମ କରିବା ପାଇଁ ନିଜ ସ୍ବାମୀକୁ କହିଥିଲେ । ନିଜେ ଉପସ୍ଥିତ ରହି ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରିବା ସହ ଏକଥା କାହାରିକୁ ଜଣାଇଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ୫ ମାସର ଗର୍ଭବତୀ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଅଭିଯୁକ୍ତ ଆଶା କର୍ମୀ କହିଥିଲେ । ଏହାପରେ ଗର୍ଭବତୀଙ୍କୁ ଚିକିତ୍ସା ବାହାନାରେ ସେ ନିଜ ପୁଅ ସହ ବାଇକରେ ନେଇଯାଇଥିଲେ । ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଆଶାକର୍ମୀଙ୍କ ସ୍ବାମୀ ବାଟରେ ଛକି ରହିଥିଲା । ସେଠାରେ ପୁଅ ଗାଡିରୁ ଓହ୍ଲାଇ ସେ ଓ ତାଙ୍କର ସ୍ବାମୀ ସାଙ୍ଗରେ ହସ୍ପିଟାଲ ଯିବା ପାଇଁ ଗର୍ଭବତୀ ମହିଳାଙ୍କୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଦମ୍ପତି ହସ୍ପିଟାଲ ନନେଇ ମହିଳାଙ୍କୁ ସହରର ଗୋଟିଏ ଘରକୁ ନେଇଯାଇଥିଲେ ।