ନବରଙ୍ଗପୁର: କାଦୁ ପଚ ପଚ ରାସ୍ତାରେ ବୁହା ହୋଇଗଲେ ଗର୍ଭବତୀ । ବର୍ଷା ଜାରି ରହିଥିବାରୁ ଗର୍ଭବତୀଙ୍କୁ ପଲିଥିନି ଟାଣି ନେଉଥିବାର ଦେଖିବାକୁ ମିଳିଛି । ଏପଟେ ବିପଦ ସଂକୁଳ ଅବସ୍ଥାରେ ପୁଣି ଜଣେ ଗର୍ଭବତୀଙ୍କୁ 4 କିମି ଷ୍ଟ୍ରେଚରରେ ବୁହା ଯିବା ପରେ ହସ୍ପିଟାଲକୁ ଅଣାଯାଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଅଞ୍ଚଳରେ ।
ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ପୁଣି ବୁହା ହେଲେ ଗର୍ଭବତୀ । ମାଲିଆମ୍ବ ଗାଁର ସୁନ୍ଦୁର ସାନ୍ତାଙ୍କ ପତ୍ନୀ ଦମେଇ ସାନ୍ତାଙ୍କ ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ । ହେଲେ ରାସ୍ତା ଖରାପ ଯୋଗୁଁ ଅଧା ବାଟରେ ଅଟକି ରହିଲା ଆମ୍ବୁଲାନ୍ସ । ଗତ କିଛି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ କାଦୁଅରେ ଭର୍ତ୍ତି ରହିଛି । ଏପରି ସ୍ଥଳେ ଗାଁ ଲୋକେ ଷ୍ଟ୍ରେଚରରେ ଭାର କରି ଡମେଇଙ୍କୁ ପ୍ରାୟ ୪ କିମି ବୋହି ବୋହି ଖଜିରି ଗାଁ ନିକଟକୁ ଆଣିଥିଲେ।