ନବରଙ୍ଗପୁର: ଥମୁନି ଜନନୀ ଯନ୍ତ୍ରଣା । ସବୁ ଯୋଜନା ଥାଇ ମଧ୍ୟ ସାଇକେଲରେ ଡାକ୍ତରଖାନା ଯାଉଛନ୍ତି ଗର୍ଭବତୀ । ଆଜି ଝରିଗାଁ ବ୍ଲକର ଇଚ୍ଛାପୁର ଗାଁର ଚଞ୍ଚଳା ଗୌଡଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କୁ ଫୋନ କରିଥିଲେ । ଏଥିସହ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ । କିନ୍ତୁ ଫୋନ ନଲାଗିବାରୁ ବାଧ୍ୟ ହୋଇ ପରିବାରଲୋକେ ସାଇକେଲରେ ବସାଇ ଇଚ୍ଛାପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ସାଇକେଲରେ ହସ୍ପିଟାଲ ଗଲେ ଗର୍ଭବତୀ - ପୁଣି ଜନନୀ ଯନ୍ତ୍ରଣା
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା । ଆମ୍ବୁଲାନ୍ସ ସହ ଯୋଗଯୋଗ ନ ହୋଇପାରିବାରୁ ସାଇକେଲରେ ବୁହା ହେଲେ ଗର୍ଭବତୀ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଜନନୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗର୍ଭବତୀଙ୍କୁ ହସ୍ପିଟାଲ ଆଣିବାକୁ ସ୍ଵତନ୍ତ୍ର ଜନନୀ ଏକ୍ସପ୍ରେସ ମଧ୍ୟ ରହିଛି । କିନ୍ତୁ ଦୁଃଖର ବିଷୟ ଉପଯୁକ୍ତ ସମୟରେ ଏ ସବୁ କାମରେ ଲାଗୁନି । ଯାହାର ଜ୍ବଳନ୍ତ ଉଦାହରଣ ଇଚ୍ଛାପୁରରେ ଦେଖିବାକୁ ମିଳିଛି । ସେପଟେ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଏଥିପ୍ରତି ସଜାଗ ରହିବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହୋଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ