ନବରଙ୍ଗପୁର:କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପଞ୍ଚାୟତ ଓ ସହରାଞ୍ଚଳରେ ଜଣଙ୍କ ପିଛା ୫ କିଲୋ ଚାଉଳ ବଣ୍ଟନ କରାଯାଉଛି । ତେବେ ଗରିବଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ ଆଣିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।
ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦହଡ଼ାମାଲ ଗ୍ରାମରେ ଅଧିକାଂଶ ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହି ପ୍ଲାଷ୍ଟିକ ଚାଉଳକୁ ନିଆଁରେ ପୋଡ଼ିଲେ ପ୍ଲାଷ୍ଟିକ ଭଳି ନିଆଁ ଲାଗୁଛି, ପାଣିରେ ରଖିଲେ ଉପରେ ଭାସିବା ସହିତ ଅଠା ପରି ହାତରେ ଲାଗୁଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।