ନବରଙ୍ଗପୁର: ନକ୍ସଲ ଭୟରେ ପୁଣି ଗାଁ ଛାଡିଲେ ଲୋକେ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଜୁଗାଡ଼ ଥାନା ଅନ୍ତର୍ଗତ ଉଦନ୍ତି ସୀତାନଦୀ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସ୍ବର୍ଣ୍ଣମାଲ ଗାଁ ଲୋକେ ନକ୍ସଲ ଭୟରେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି । ନକ୍ସଲଙ୍କ ଧମକ ପରେ ଜୀବନ ବଞ୍ଚାଇବା ଭୟରେ ଗ୍ରାମର ପ୍ରାୟ ୬୯ଟି ପରିବାର ଘରଦ୍ବାର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ତେବେ ସ୍ବର୍ଣ୍ଣମାଲବାସୀ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ଜବର ଦଖଲ କରି ରହିଆସୁଥିଲେ । ତେଣୁ ସେମାନେ ଏବେ ଗ୍ରାମ ଛାଡିବା ପରେ ଛତିଶଗଡ଼ ବନ ବିଭାଗ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୫୦ ଜଣିଆ ଜମ୍ବୋ ଟିମ୍ ଗଠନ କରାଯାଇ ୨ଟି ପୋକ୍ଲେନ ଏବଂ ୧୨ ଗୋଟି ଟ୍ରାକ୍ଟର ସାହାଯ୍ୟରେ ଜବର ଦଖଲ ଉଚ୍ଛେଦ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ଡାକ୍ତର ଦମ୍ପତିଙ୍କ ନିଆରା ବାହାଘର, ବରଯାତ୍ରୀରେ ଗଲେ ୧୦୮ ସାଧୁ ସନ୍ଥ
ସୂଚନା ମୁତାବକ, ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉଦନ୍ତି ସୀତାନଦୀ ଅଭୟାରଣ୍ୟ ମଧ୍ୟରୁ ବେଆଇନ ଭାବେ ୩୭୦୦୦ ଗଛ କାଟି ୧୮୮ ହେକ୍ଟର ଜମିରେ ସ୍ବର୍ଣ୍ଣମାଲ ଗ୍ରାମ ଗଠନ କରାଯାଇଥିଲା । ଏହି ଗ୍ରାମରେ ପ୍ରାୟ ୬୯ ପରିବାର ବସବାସ କରି ଆସୁଥିଲେ । ଏହାକୁ ବିରୋଧ କରି ନକ୍ସଲ ଉକ୍ତ ଗ୍ରାମ ଛାଡି ଚାଲି ଯିବାକୁ ଗାଁ ଲୋକଙ୍କୁ ଧମକ ଚମକ ଦେଇଥିଲେ । ତେଣୁ ନକ୍ସଲ ଭୟରେ ଗ୍ରାମବାସୀ ବାଧ୍ୟ ହୋଇ ନିଜେ ଘରଦ୍ବାର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ଯାହାଫଳରେ ବନ ବିଭାଗ ମଧ୍ୟ ଉକ୍ତ ଅଭୟାରଣ୍ୟ ମଧ୍ୟରେ ଥିବା ସମସ୍ତ ଜବର ଦଖଲ ଉଚ୍ଛେଦ କରୁଛି ।