ଓଡିଶା

odisha

ETV Bharat / state

ବାଃ ବାଃ ସ୍ବାସ୍ଥ୍ୟସେବା, ଗଛ ତଳେ ସାଲାଇନ ନେଲେ ବୃଦ୍ଧା - ନବରଙ୍ଗପୁରରେ ସ୍ବାସ୍ଥ୍ୟସେବା ଅବ୍ୟବସ୍ଥା

ଗଛରେ ଝୁଲିଲା ସାଲାଇନ ବୋତଲ । ଗଛ ତଳେ ଶୋଇ ସାଲାଇନ ନେଲେ ୭୦ ବର୍ଷୀୟା ବୃଦ୍ଧା । ଅଧିକ ପଢନ୍ତୁ

ବାଃ ବାଃ ସ୍ବାସ୍ଥ୍ୟସେବା, ଗଛ ତଳେ ସାଲାଇନ ନେଲେ ବୃଦ୍ଧା
ବାଃ ବାଃ ସ୍ବାସ୍ଥ୍ୟସେବା, ଗଛ ତଳେ ସାଲାଇନ ନେଲେ ବୃଦ୍ଧା

By

Published : May 21, 2022, 10:27 AM IST

Updated : May 21, 2022, 12:17 PM IST

ନବରଙ୍ଗପୁର: ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟରେ ମାଳ ମାଳ ଯୋଜନା କାର୍ଯ୍ୟ କରୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ l ସରକାରଙ୍କ ଯୋଜନାର ଅପହଞ୍ଚ ଦୂରରେ ରହୁଛନ୍ତି ନିରୀହ ଆଦିବାସୀ l ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବି. ମାଳିଗୁଡା ପଞ୍ଚାୟତ ଅନ୍ତର୍ଗତ ପରଜା ମିନିଗୁଡ଼ି ଗାଁରୁ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବାର ସେଭଳି କିଛି ନଗ୍ନ ଚିତ୍ର l ଏଠାରେ ଜଣେ ବୃଦ୍ଧାଙ୍କୁ ଗଛେ ତଳେ ସାଲାଇନ ଦିଆଯାଇଥିବାର ଦେଖିବାକୁ ମିଳିଛି ।

ବାଃ ବାଃ ସ୍ବାସ୍ଥ୍ୟସେବା, ଗଛ ତଳେ ସାଲାଇନ ନେଲେ ବୃଦ୍ଧା

ସୂଚନା ଅନୁସାରେ, ଗାଁରେ ଗୋରୀ ଜାନି ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧା ରହିଛନ୍ତି । ବୟସାଧିକ ଯୋଗୁଁ ତାଙ୍କ ଆଖିକୁ ଭଲ ଭାବେ ଦେଖାଯାଉନି । ସେ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣ ଯୋଗୁଁ ତଳେ ପଡିଯାଇଥିଲେ ଓ ଏଥିରେ ତାଙ୍କ ହାତଗୋଡ ଅଚଳ ହୋଇଯାଇଥିଲା । କିନ୍ତୁ ପାଖରେ ଅର୍ଥର ଅଭାବ ଓ ଗାଁରେ କୌଣସି ସୁବିଧା ନଥିବା ହେତୁ ଚିକିତ୍ସା ପାଇଁ ମେଡିକାଲକୁ ଯାଇ ପାରିନଥିଲେ l ପରବର୍ତ୍ତୀ ସମୟରେ ପରିବାର ନିକଟସ୍ଥ ମାଳିଗୁଡା ଅଞ୍ଚଳରୁ ଜଣେ ଡାକ୍ତରଙ୍କୁ ଚିକିତ୍ସା କରିବାକୁ ଡକାଇଥିଲେ l ଡାକ୍ତର ଜଣକ ଗୋଟିଏ ଗଛ ତଳେ ବୃଦ୍ଧାଙ୍କୁ ଏକ ସାଲାଇନ ଦେଇଥିଲେ ଏବଂ ସାଲାଇନ ବୋତଲ ଗଛ ଡାଳରେ ଝୁଲାଇ ଚାଲି ଯାଇଥିଲେ l ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ତାହେଲେ ତାହାର ସଫଳ ରୂପାୟନ ହୋଇ ପାରୁନାହିଁ କାହିଁକି l

ସବୁବେଳେ ସବୁସ୍ଥାନରେ ଅବହେଳିତ ହୋଇ ରହିଯାଉଛନ୍ତି ନିରୀହ ଆଦିବାସୀ l ଗଛ ତଳେ ସାଲାଇନ ଲାଗିଥିବା ଦୃଶ୍ୟକୁ ଦେଖିଲେ ଲାଗୁଛି ସତେ ଯେମିତି ଏ ନିରୀହ ଆଦିବାସୀମାନେ ଆଜି ଯାଏଁ ସ୍ୱାଧୀନତାର ସ୍ୱାଦ ବାରି ପାରିନାହାନ୍ତି l ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀ ଠାରୁ ଆରମ୍ଭ କରି ଡାକ୍ତର ଯାଏଁ ପ୍ରତି ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେମାନେ କିପରି ଭାବରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛନ୍ତି ତାହା ବୃଦ୍ଧାଙ୍କ ଦୁର୍ଦ୍ଦଶାରୁ ଅନୁମେୟ l ନିରୀହ ଆଦିବାସୀଙ୍କ ହିତ ପାଇଁ ଯଦି ଉଚିତ୍ ପଦକ୍ଷେପ ନିଆଯାଇପାରନ୍ତା ତାହାହେଲେ ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରନ୍ତା l

ତେବେ ଏହି ଘଟଣା ନେଇ ଆମ ପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନାଙ୍କୁ ଭେଟିଥିଲେ । ସେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିବା ସହ ବାରମ୍ବାର ଅଞ୍ଚଳର ଏଭଳି ସମସ୍ୟା ସମ୍ପର୍କରେ ସିଡିଏମଓଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି । ତେଣୁ ଆଗାମୀ ଦିନରେ ଏଭଳି ଅବ୍ୟବସ୍ଥା ଲାଗି ରହିଲେ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 21, 2022, 12:17 PM IST

ABOUT THE AUTHOR

...view details