ଓଡିଶା

odisha

ETV Bharat / state

ସ୍ମୃତିସ୍ଥଳ ପାଲଟିଛି ମଦୁଆଙ୍କ ସୁରକ୍ଷିତ ସ୍ଥାନ - ଅବହେଳିତ ପାପଡାହାଣ୍ଡି ସ୍ମୃତି ସ୍ତମ୍ଭ

1942 ମସିହା ଅଗଷ୍ଟ 24 ତାରିଖ ସ୍ୱାଧୀନତା ସଂଗ୍ରାମ ରେ ପାପଡାହାଣ୍ଡି ଟୁରି ନଦୀ କୂଳରେ ଇଂରେଜ ଓ ଭାରତୀୟ ମାନଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟଣାରେ 19 ଜଣ ଶହୀଦ ହୋଇଥିଲେ । ସେମାନଙ୍କୁ ସବୁଦିନ ପାଇଁ ମନେ ରଖିବାକୁ ପାପଡାହାଣ୍ଡିରେ ତିଆରି ହୋଇଥିଲା ଏହି ସହିଦ ସ୍ମୃତି ସ୍ତମ୍ଭ । ହେଲେ ସହିଦ ସ୍ତମ୍ଭରେ ମଦ ଓ ଜୁଆ ଖେଳ ଭଳି ଘୃଣ୍ୟ କାର୍ଯ୍ୟ ମର୍ମାହତ କରିଛି ଜିଲ୍ଲାବାସୀଙ୍କୁ । ନବରଙ୍ଗପୁର ପାପଡାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭକୁ ନେଇ ସ୍ବତନ୍ତ୍ର ରିପୋର୍ଟ....

ସ୍ମୃତିସ୍ଥଳ ପାଲଟିଛି ମଦୁଆଙ୍କ ସୁରକ୍ଷିତ ସ୍ଥାନ
ସ୍ମୃତିସ୍ଥଳ ପାଲଟିଛି ମଦୁଆଙ୍କ ସୁରକ୍ଷିତ ସ୍ଥାନ

By

Published : Jul 30, 2020, 7:20 PM IST

ନବରଙ୍ଗପୁର: ଅହିଂସା ବଳରେ ଭାରତକୁ ସ୍ବାଧୀନ କରିବାରେ ଓଡିଆ ସ୍ବାଧୀନତା ସଂଗ୍ରାମୀଙ୍କ ଭୂମିକା ଅନେକ । ସେହିମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ସଂଗ୍ରାମୀଙ୍କ ଅବଦାନ ଥିଲା ଅତୁଳନୀୟ । 1942 ମସିହା ଅଗଷ୍ଟ 24 ତାରିଖରେ ପାପଡାହାଣ୍ଡି ଟୁରି ନଦୀ କୂଳ ଗୁଳିକାଣ୍ଡ ଘଟଣାରେ ଶହୀଦ ହୋଇଥିଲେ 19 ସଂଗ୍ରାମୀ । ସେମାନଙ୍କୁ ସବୁଦିନ ପାଇଁ ମନେ ରଖିବାକୁ ପାପଡାହାଣ୍ଡିରେ ତିଆରି ହୋଇଥିଲା ଏହି ଶହୀଦ ସ୍ମୃତି ସ୍ତମ୍ଭ । ଦେଶ ପାଇଁ ସମର୍ପିତ ସଂଗ୍ରାମୀଙ୍କ ଜୀବନୀ , ଟୁରି ନଦୀକୂଳରେ ଗୁଳିକାଣ୍ଡ ଘଟଣା , ଭାରତ ଛାଡ଼ ଆନ୍ଦୋଳନ, ସ୍ବାଧୀନତା ସଂଗ୍ରାମର ଅନେକ ତଥ୍ୟ ଓ ଦେଶ ଭକ୍ତିର ମୂକ ସାକ୍ଷୀ ଏହି ସ୍ତମ୍ଭ । ହେଲେ ସ୍ବାଧୀନତା ସଂଗ୍ରାମ ବାର୍ତ୍ତାବହ ସାଜିଥିବା ସ୍ମୃତି ସ୍ତମ୍ଭ ଆଜି ଅଲୋଡ଼ା ।

ସ୍ମୃତିସ୍ଥଳ ପାଲଟିଛି ମଦୁଆଙ୍କ ସୁରକ୍ଷିତ ସ୍ଥାନ

ସ୍ବାଧୀନତା ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ ମାଟି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ଯୁଆଡେ ଆଖି ବୁଲାଇବ ମଦ ବୋତଲ । ଅସାମାଜିକଙ୍କ ଆଡ୍ଡା ପାଲଟିଛି। ତେବେ ଏହାର ରକ୍ଷଣାବେକ୍ଷଣା ପ୍ରତି ଗୁରୁତ୍ବ ଦିଆଯାଉନଥିବା ସହ ଏଠାରେ ନାହିଁ କୌଣସି କଟକଣା । ଦିନ ରାତି ସବୁବେଳେ ଏହାର ଗେଟ ଖୋଲା । ଯିଏ ଯେତବେଳେ ଚାହୁଁଛି ଏହା ଭିତରେ ପ୍ରବେଶ କରୁଛି । ଫଳରେ ଏହାର ଅବସ୍ଥା ଏପରି ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ପ୍ରତିବର୍ଷ ଅଗଷ୍ଟ 24 ତାରିଖକୁ ସହିଦ ସ୍ମୃତି ଦିବସ ପାଳନ କରନ୍ତି ରାଜ୍ୟ ବାସୀ। ଶହୀଦଙ୍କ ସ୍ମୃତି ଉଦେଶ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଏ । ଫୁଲମାଳରେ ଭର୍ତ୍ତି ହୁଏ ସହିଦଙ୍କ ପ୍ରତିମୂର୍ତ୍ତି । ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ନାନିତ କରାଯାଏ । ନେତା ଓ ଅଫିସର ମାନେ ଲମ୍ଭା ଲମ୍ଭା ଭାଷଣ ଦିଅନ୍ତି । ଆଉ ତାପରେ ସମାନ ଅବସ୍ଥା । ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ ସତ୍ତ୍ବେ ବି ସ୍ମୃତିସ୍ତମ୍ଭର ରକ୍ଷଣାବେକ୍ଷଣ ପ୍ରତି କେହି ଦୃଷ୍ଟି ଦେଉଥିବା କହିଛନ୍ତି ଶହୀଦ ସ୍ମୃତି କମିଟିର ସଦସ୍ୟ ।

ଯେଉଁମାନେ ଆମକୁ ସ୍ବାଧୀନତା ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦେଶ୍ୟରେ ନିର୍ମିତ ସହିଦ ସ୍ମୃତି ସ୍ତମ୍ଭରେ ଅସାମାଜିକ କାର୍ଯ୍ୟ ଚାଲିବା ଅତି ବିଡମ୍ବନାର ବିଷୟ । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ନବରଙ୍ଗପୁର ରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ABOUT THE AUTHOR

...view details