ନବରଙ୍ଗପୁର:ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥିବା ମହିଳା କର୍ମଚାରୀଙ୍କର(Working Women) ସୁରକ୍ଷାକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଛନ୍ତି ଯେ, "ଜିଲ୍ଲା ପ୍ରଶାସନରେ ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରାଯାଉଛି ।"
"ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମହିଳାମାନେ ଯଦି ଅନୁଭବ କରନ୍ତି କି ସେ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେବେ ସେ ନିର୍ଭୟରେ ଏହା ବିରୋଧରେ ପ୍ରତିବାଦ କରିବା ଦରକାର । ଜିଲ୍ଲାର ସମସ୍ତ କର୍ମଚାରୀ ଆଇନକୁ ଭଲ ଭାବରେ ବୁଝି କର୍ମ କ୍ଷେତ୍ରରେ ସଜାଗ ରହିବା ସହିତ ମହିଳାମାନେ ସାହସର ସହିତ ତାଙ୍କ ଉପରେ ହେଉଥିବା ଅନ୍ୟାୟ କୁ ପ୍ରତିବାଦ କରିବା ଦରକାର ।"
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନାର ନିବାରଣ ,ନିଷେଧ ଓ ନିରାକରଣ ଆଇନ-୨୦୧୩ ଅନୁଯାୟୀ ସ୍ଥାନୀୟ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇ ଥିବାର ସୂଚନା ପ୍ରଦାନ କରିଥିଲେ ।