ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲା ଚନ୍ଦ୍ରଶେଖର ଦଳେଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ।
ସୂଚନା ମୁତାବକ, ଗତ ୧୫ ତାରିଖ ଦିନ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳର ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରେ ଟଙ୍କଧର ଦଳେଇ ନାମକ ଯୁବକଙ୍କ ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଖାତିଗୁଡା ଥାନା ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ସେପଟେ ପୁଅ ଟଙ୍କଧରଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା ପଦ୍ମନ ଦଳେଇ ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଏସ୍ଡିପିଓ ଆଦିତ୍ୟ ସେନ୍, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ସନ୍ଧାନୀ କୁକରର ସହାୟତା ନିଆଯାଇଥିବା ବେଳେ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲା ।