ନବରଙ୍ଗପୁର: ଯୌତୁକ ନିର୍ଯ୍ୟାତନାରେ ନବବଧୂକୁ ହତ୍ୟା । ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ବିବାହ ସମୟରେ ଯୌତୁକ ବାବଦକୁ ଯଥେଷ୍ଟ ଟଙ୍କା ଦେଇନଥିବାକୁ ଜୀବନରୁ ମାରିଦେଇଥିବାର ଅଭିଯୋଗ ହୋଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର ଘଟଣା ଅନୁସାରେ, ମୈଦାଲପୁର ଥାନା ଅନ୍ତର୍ଗତ କାକୁଡି ଆମ୍ବ ଗାଁର ଧର୍ମାନନ୍ଦ ନାୟକ ଗତ ମେ'1ରେ କଳାହାଣ୍ଡିର ଚିଚିଆ ଗାଁର ରଶ୍ମି ସତନାମୀଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ପୁଅ ଘର ଦାବି ଅନୁସାରେ ସମସ୍ତ ଯୌତୁକ ପ୍ରଦାନ କରାଯିବା ସହ ଗାଡି ବାବଦକୁ 40 ହଜାର ଟଙ୍କା ଦେଇଥିଲେ । ତେବେ ଗାଡି ବାବଦକୁ ଟଙ୍କା ଯଥେଷ୍ଟ ନଥିବା କହିବାରୁ ଆହୁରି 30 ହଜାର ଟଙ୍କା ପରିବାର ପକ୍ଷରୁ ଦିଆଯାଇଥିଲା । ଏହା ପରେ ପୁଣି ଯୌତୁକ ଟଙ୍କା ଓ ସୁନା କମ ଆଣିଥିବା କହି ଆଉ ଅଧିକା ଟଙ୍କା ଆଣିବାକୁ କହୁଥିବାବେଳେ ନିର୍ଯ୍ୟାତନା ଦେବାକୁ ଆରମ୍ଭ କରିଥିଲେ ଶାଶୁଘର ଲୋକେ ।
ତେବେ ଗତ ଅଗଷ୍ଟ 5ରେ ନବବଧୂକୁ ମାଡ ମାରି ଯାଇଥିବାବେଳେ ଗତକାଲି ରଶ୍ମିଙ୍କ ଦେହ ଅସୁସ୍ଥ ଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ପରିବାରଲୋକେ ପହଞ୍ଚିବା ପୂର୍ବରୁ ଝିଅକୁ ନବରଙ୍ଗପୁର ହସ୍ପିଟାଲର ଶବ ଗୃହରେ ଭର୍ତ୍ତି କରାଯାଇଥିଲା। ସେପଟେ ଘଟଣାକୁ ନେଇ ଶାଶୁ ଘରଲୋକେ ଆତ୍ମହତ୍ୟା କହୁଥିବା ବେଳେ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି ।
ଏକ ତକିଆ ସାହାଯ୍ୟରେ ଝିଅର ମୁହଁକୁ ଚାପି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ଶ୍ରଦ୍ଧାନନ୍ଦ ସତନାମୀ । ଝିଅର ସ୍ବାମୀ ଧର୍ମାନନ୍ଦ ନାୟକଙ୍କ ସହ ତାଙ୍କ ଶାଶୁ, ଶ୍ବଶୂର , ଦେଢଶୂର ଓ ମାମୁଁଙ୍କ ନାଁରେ ଏତଲା ଦିଆଯାଇଛି । ତେବେ ଏତଲାକୁ ଆଧାରକୁ କରି ପୋଲିସ ମୃତ ମହିଳାଙ୍କ ସ୍ବାମୀ ଧର୍ମାନନ୍ଦ ନାୟକଙ୍କୁ ଗିରଫ କରିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ