ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ଥାନା ସଦର ରେଭିନ୍ୟୁ ସାହିରେ ଶୁକ୍ରବାର ଅପରାହ୍ନରେ ଭଣଜାର ଠେଙ୍ଗା ମାଡରେ ମାମୁଁର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଡାବୁଗାଁ ସଦର ରେଭିନ୍ୟୁ ସାହିର ଗୌରଚନ୍ଦ୍ର ଗୌଡ (୪୮) । ଏନେଇ ଡାବୁଗାଁ ଥାନାରେ ମୃତ ଗୌର ଚନ୍ଦ୍ରଙ୍କର ଝିଅ ଗୁଞ୍ଜି ଗୌଡ ଏତଲା ଦେବା ପରେ ପୋଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଡାବୁଗାଁ ସଦର ରେଭିନ୍ୟୁ ସାହିରେ ରହୁଥିବା ଗୌରଚନ୍ଦ୍ର ଗୌଡ (୪୮) ଓ ସ୍ତ୍ରୀ ବୁଡୁ ଗୌଡ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ ଅଶାନ୍ତି ଗତ କେତେ ଦିନ ହେଲା ଲାଗି ରହିଥିଲା । ଗୌରଚନ୍ଦ୍ର ଡାବୁଗାଁ ନିକଟ ଚେର ଚେଟିଆ ଗୁଡ଼ାରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ସେ ଚେର ଚେଟିଆ ଗୁଡ଼ାରେ ଥିବା ସମୟରେ ତାଙ୍କ ଭଣଜା ଲକି ଗୌଡ (୩୫) ଓ ସ୍ତ୍ରୀ ବୁଡୁ ଗୌଡ ତାଙ୍କ ପାଖକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ନେଇ ଭଣଜା ଲକି ମାମୁଁ ଗୌରଚନ୍ଦ୍ରକୁ ବାଡେଇଥିଲେ । ଏଥିରେ ଗୌରର ସ୍ବାସ୍ଥ୍ୟ ଖରାପ ହେବାରୁ ତାକୁ ଭଣଜା ଡାବୁଗାଁ ଆଣିଥିଲେ । ପୁନର୍ବାର ଅପରାହ୍ନ ସମୟରେ ଗୌରଚନ୍ଦ୍ର ସହ ଭଣଜା ଲକିର କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଲକି ଗୌଡ ତା' ମାମୁଁକୁ ଏକ ଠେଙ୍ଗାରେ ବାଡେଇ ଥିଲେ । ଗୌରଚନ୍ଦ୍ର ଠେଙ୍ଗା ମାଡରେ ଆହତ ହୋଇଥିଲେ ।