ନବରଙ୍ଗପୁର:ମାନବିକତା ଦେଖାଇଲେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ରାସ୍ତାରେ ଦୁର୍ଘଟଣା ଘଟିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ପହଞ୍ଚାଇଲେ ବିଡିଓ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ । ତେବେ ଡଙ୍ଗର ଭେଜା ଓ ଦହଣା ଗ୍ରାମର ମଝିରେ ଥିବା ଇଲେକ୍ଟ୍ରି ସବଷ୍ଟେସନ ପାଖରେ ଥିବା ମୁଖ୍ୟ ରାସ୍ତାରେ ଦୃତ ଗତିରେ ଯାଉଥିବାବେଳେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲା ।
ସେହି ରାସ୍ତା ଦେଇ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ି ଦ୍ବାରା ନିକଟସ୍ଥ ଡଙ୍ଗର ଭେଜା CHCକୁ ନେଇଥିଲେ । ତେବେ ଦୁର୍ଘଟଣାରେ ଆହତ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କୁର୍ଲୁଘାଟି ଗ୍ରାମର ସୁଶାନ୍ତ ନାଗଙ୍କ ପୁଅ ୨୫ ବର୍ଷୀୟ ପୁଅ ସିଦ୍ଧାନ୍ତ କୁମାର ନାଗ ।
ଅନ୍ୟପଟେ ଡାକ୍ତର ଦୁର୍ଘଟଣା ବ୍ୟକ୍ତିଙ୍କ ଦେହ ସଙ୍କଟାପନ୍ନ ହେବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଙ୍ଗେ ସଙ୍ଗେ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଧ୍ୟ ସିଦ୍ଧାନ୍ତକୁ କୋରାପୁଟ ରେଫର କରାଯାଇଥିଲା । ସେହିପରି କୋରାପୁଟରୁ ବିଶାଖାପାଟଣା ନେବା ସମୟରେ ରାସ୍ତାରେ ସିଦ୍ଧାନ୍ତଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ଜଣାପଡିଛି । ଏନେଇ କୋରାପୁଟ ପୋଲିସ ଦ୍ବାରା ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।