ନବରଙ୍ଗପୁର: ରାଜ୍ୟର ସମସ୍ତ ହସ୍ପିଟାଲ, ମେଡିକାଲ କଲେଜ ଓ ଡିସପେନ୍ସାରୀ ହେବ ଦଲାଲ ମୁକ୍ତ । ଏନେଇ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେବା ପରେ ଏହାକୁ ସଫଳ କରିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଲାଗିପଡିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର ଏହି କ୍ରମରେ ମଙ୍ଗଳବାର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଏସପି ନୀତିନ କୁସଲକର ଅଚାନକ ଗସ୍ତରେ ଆସି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ରୋଗୀ ରେଜିଷ୍ଟ୍ରେସନ୍, ନିରାମୟ ଔଷଧ ବିତରଣ କେନ୍ଦ୍ର, ଡାକ୍ତରଙ୍କ କ୍ୟାବିନ୍, ମହିଳା ଓ ପୁରୁଷଙ୍କ ୱାର୍ଡ ବୁଲି ତଦାରଖ କରିଛନ୍ତି ଦୁଇ ଅଧିକାରୀ । ତେବେ ଏସପି ଓ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ସମୟରେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖାଯାଇଥିଲା ।
ଏଥିସହିତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ କର୍ମଚାରୀଙ୍କ ସେମାନଙ୍କ ପ୍ରତି ବ୍ୟବହାର ଏବଂ ମାଗଣା ଔଷଧ ପ୍ରଦାନ ନେଇ ପ୍ରଶ୍ନ ପଚାରିଥିଲେ । ଡାକ୍ତରଖାନାରେ ଦଲାଲ ଅଛନ୍ତି କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ଜିଲ୍ଲାପାଳ ଓ ଏସପିଙ୍କ ଚିକିତ୍ସାଳୟକୁ ଏପରି ଅଚାନକ ଗସ୍ତକୁ ଡାକ୍ତରଖାନାର ରୋଗୀ ଓ କର୍ମଚାରୀମାନେ ପ୍ରଶଂସା କରିଛନ୍ତି ।
ସୂଚନାନୁଯାୟୀ, ଗତ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାପାଳ ଓ ଏସପିଙ୍କ ତତ୍ତ୍ବାବଧାନରେ ଜିଲ୍ଲା ପୋଲିସ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢାଉ କରିଥିଲା । ଚଢାଉ ବେଳେ 6ଜଣ ଦଲାଲକୁ ପୋଲିସ ଗିରଫ କରିଥିବାବେଳେ ଏସପି ଓ ଜିଲ୍ଲାପାଳ ଚିକିତ୍ସାଳୟର ତଦାରଖ କରିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ