ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି କଳଙ୍କିତ ପ୍ରଥା ଏବେବି ପ୍ରଚଳିତ ହୋଇ ଆସୁଛି । ପରମ୍ପରା ନାଁରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପିଲାମାନଙ୍କର ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲାରେ ଏଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ ।
ସମଗ୍ର ଜିଲ୍ଲାକୁ ୨୦୨୪ ମସିହା ସୁଧା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯିବା ନିମନ୍ତେ ପ୍ରୟାସ ଜାରି ରହିଛି । ବିଶେଷ କରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ ,ୱାର୍ଡମେମ୍ବର ,ସ୍ବଂୟ ସହାୟକ ଦଳ ମାନଙ୍କ ସହିତ ବାଲ୍ୟବିବାହର କୁପରିଣାମ ବୈଠକ , ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମାସର ପ୍ରତି ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀ ମାନେ ସେବନ କରିବାକୁ ଦିଆଯାଉଛି ।