ନବରଙ୍ଗପୁର:ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳାପୁଳା ଯୋଜନା । କେତେବେଳେ ୫ଟି ଉପକ୍ରମରେ ସ୍ମାର୍ଟସ୍କୁଲ୍ ରୂପାନ୍ତରୀକରଣ ସହ ସର୍ବଶିକ୍ଷା ଅଭିଯାନରେ ପିଲାଙ୍କୁ ମାଗଣା ବହି ଖାତା ଯୋଗାଇ ଦିଆଯାଉଛି । ତେବେ ଏତିକି ସହାୟତା ପିଲାଙ୍କ ପାଇଁ ଯଥାର୍ଥ କି ? ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗାଁ ପଞ୍ଚାୟତ ଅନ୍ତର୍ଗତ ସେମଲଗୁଡା ଗାଁ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ଦେଖିବା ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ ।
କାମରେ ଆସୁନି କ୍ଲାସ୍ରୁମ୍
୨୦୦୨ ମସିହାରେ ସେମଲଗୁଡା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗ୍ରାମବାସୀ ଆଶା କରିଥିଲେ ସ୍କୁଲ୍ରେ ପାଠ ପଢ଼ି ପିଲାଏ ନିଜ ଭବିଷ୍ୟତ ଗଢ଼ିବେ । ହେଲେ ପରବର୍ତ୍ତୀ ସମୟରେ ସ୍କୁଲ୍ର ଅବସ୍ଥା ଦେଖିବା ପରେ ଗ୍ରାମବାସୀଙ୍କ ଏହି ସ୍ବପ୍ନ, ସ୍ବପ୍ନରେ ରହିଯାଇଛି । ପ୍ରଥମରୁ ପଞ୍ଚମ ଯାଏଁ ସେମଲଗୁଡା ପ୍ରାଥମିକ ବିଦ୍ୟାଳୟରେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ହେଲେ ଗତ ୫ ବର୍ଷ ହେଲା ଏହି ସ୍କୁଲ୍ର ଶ୍ରେଣୀଗୃହ ପିଲାଙ୍କ କାମରେ ଆସୁନାହିଁ ।
ଗଛମୂଳେ ଶିକ୍ଷାଦାନ
ଶ୍ରେଣୀଗୃହର ଅବସ୍ଥା ଏଭଳି ଯେ, ଛାତ୍ରଛାତ୍ରୀ ବସିବା ତ ଦୂରର କଥା ସାଧାରଣ ଲୋକଟିଏ ବସିବା ଅସମ୍ଭବ । ଶ୍ରେଣୀଗୃହ କାନ୍ଥ ଫାଟି ଆଁ କଲାଣି, କାନ୍ଥର ପ୍ଳାଷ୍ଟର ଝଡି ଗଲାଣି, ଛାତ ଫାଟି ରଡ୍ ଦେଖା ଯାଉଛି, କ୍ଲାସ୍ ରୁମ୍ ଭିତରେ ଉଇ ହୁଙ୍କା କଲାଣି । ସ୍କୁଲ୍ର ଏଭଳି ଅବସ୍ଥା ପରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ବିପଦପୂର୍ଣ୍ଣ କ୍ଲାସ୍ରୁମ୍ରେ ପାଠପଢ଼ିବାକୁ ପିଲାଙ୍କୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ଅଭିଭାବକ । ଏଥିପାଇଁ ସ୍କୁଲ୍ ପରିସରରେ ଥିବା ଗଛମୂଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।