ଓଡିଶା

odisha

ETV Bharat / state

ବଡ଼ଟେମରା ପଞ୍ଚାୟତରେ ସମସ୍ୟାର ସମୀକ୍ଷା କଲେ ନବରଙ୍ଗପୁର ସାଂସଦ - ସାଂସଦ ରମେଶ ମାଝୀ

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଝରିଗାଁ ବ୍ଲକର ବଡ଼ଟେମରା ପଞ୍ଚାୟତ ଗସ୍ତ । ପଞ୍ଚାୟତବାସୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ପାରୁନଥିବାରୁ ବ୍ଲକର ସବୁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଛନ୍ତି ସାଂସଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 15, 2019, 4:45 AM IST

ନବରଙ୍ଗପୁର: ସମସ୍ୟା ଘେରରେ ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତବାସୀ । ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଓ ପାନୀୟ ଜଳ ଆଦି ସରକାରୀ ଯୋଜନା ଭୁଶୁଡ଼ି ପଡିଛି । ଏନେଇ ଶନିବାର ନବରଙ୍ଗପୁର ସାଂସଦ ରମେଶ ମାଝୀ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ଏଥିସହ ସାଂସଦ ମାଝୀ ପଞ୍ଚାୟତବାସୀଙ୍କୁ ବଡ଼ଟେମରା ପଞ୍ଚାୟତକୁ ମଡେଲ ପଞ୍ଚାୟତ କରିବା ପାଇଁ ସ୍ବପ୍ନ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ବଡ଼ଟେମରା । ଏହି ପଞ୍ଚାୟତରେ ସାଧାରଣ ଜନତା ସରକାରୀ ଯୋଜନାରୁ ବଞ୍ଚିତ । ଏନେଇ ପଞ୍ଚାୟତବାସୀ ଗତ ୧୧ ତାରିଖରେ ପ୍ରତିବାଦ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଥିଲେ । ପରେ ଝରିଗାଁ ପୋଲିସ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ବଡ଼ଟେମରା ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ସାଂସଦଙ୍କ ବାସଭବନକୁ ଯାଇ ସମସ୍ୟା ବିଷୟରେ ଅବଗତ କରାଇଥିଲେ ।

ସାଂସଦ ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପଞ୍ଚାୟତବାସୀଙ୍କ ସହ ବ୍ଲକର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ୟାର ସମୀକ୍ଷା କରିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରୀ ଯୋଜନା ସବୁ ସ୍ଥାଣୁ ପାଲଟୁଥିବା ଜାଣି ଅଧିକାରୀମାନଙ୍କୁ ସାଂସଦ ତାଗିଦ କରିଛନ୍ତି । ଲୋକେ ଯେପରି ଠିକ ସମୟରେ ସରକାରୀ ଯୋଜନା ପାଇପାରିବେ ଏବଂ ଲୋକଙ୍କ ସମସ୍ୟା ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତବାସୀ ନୂତନ ପଞ୍ଚାୟତ କାର୍ଯ୍ୟାଳୟ, ଗୋଦାମ ଗୃହ , ଭତ୍ତା, ରାସନକାର୍ଡ଼, ଅଙ୍ଗନବାଡୀ ଗୃହ ନିର୍ମାଣ ଏବଂ ଦୀର୍ଘ ଦିନ ହେବ ମହିଳା ସ୍ୱାସ୍ଥ୍ୟକର୍ମୀ ନଥିବା ଆଦି ବିଷୟ ପ୍ରତି ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ବଡ଼ଟେମରା ପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ କରିବା ପାଇଁ ସାଂସଦ ରମେଶ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ସାଂସଦ ମାଝି ଟେମରା ହାଇସ୍କୁଲ, ଚାଚା ହାଇସ୍କୁଲ ଓ ହାତୀବାଡ଼ି ସ୍କୁଲ ଗସ୍ତ କରି ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନୁଧ୍ୟାନ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details