ନବରଙ୍ଗପୁର:ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA )ର ତିନି ଯନ୍ତ୍ରୀ ସରକାରୀ ବୋଲେରୋରେ 3ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଦ୍ୱାରା ଅଟକ ଘଟଣା । ଶୁକ୍ରବାର ଭିଜିଲାନ୍ସ ବିଭାଗ ବିଭିନ୍ନ ବ୍ୟାଙ୍କକୁ ଯାଇ ତଦନ୍ତ କଲାପରେ ଜଣେ ସହକାରୀ ଯନ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ କୋରାପୁଟ ଡିଭିଜନର ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି l
ସୂଚନାଥାଉକି, ନବରଙ୍ଗପୁର ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA )ର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ସହ ଅନ୍ୟ ଦୁଇ ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଓ ପ୍ରମୋଦ କୁମାର ପ୍ରଧାନ ନିଜ ଅଫିସ ବୋଲେରରେ ଏକ ବ୍ୟାଗରେ 3ଲକ୍ଷ 09 ହଜାର ଟଙ୍କା ନେଇ ନବରଙ୍ଗପୁର ଠାରୁ ପାପଡାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ପାପଡାହାଣ୍ଡି ସ୍ଥିତ ମୃଗ ବିହାର ନିକଟରେ କୌଣସିସୂତ୍ରରୁ ଖବର ପାଇଁ ନବରଙ୍ଗପୁର ଭିଜିଲାସନ୍ସ ଗାଡିକୁ ଅଟକାଇଥିଲା l ବୋଲେରୋ ଭିତରେ ଯାଞ୍ଚ କରିବା ସମୟରେ ବ୍ୟାଗ ଭିତରେ 3ଲକ୍ଷ 09ହଜାର ଟଙ୍କା ଭିଜିଲାନ୍ସ ଠାବ କରାଯାଇଥିଲା l ପଚରାଉଚରା ସମୟରେ ଉକ୍ତ ବ୍ୟାଗ ପ୍ରମୋଦ କୁମାର ପ୍ରଧାନଙ୍କ ବୋଲି ଜଣାପଡିଥିଲେ ମଧ୍ୟ ଅନ୍ୟ ଦୁଇ ଯନ୍ତ୍ରୀଙ୍କ ଏଥିରେ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରି ନବରଙ୍ଗପୁର ଭିଜିଲାନ୍ସ ତିନି ଯନ୍ତ୍ରୀଙ୍କୁ ଅଟକ ରଖିଥିଲା l