ନବରଙ୍ଗପୁର: ଧାନ ମଣ୍ଡି ବନ୍ଦ କରିବାକୁ ଚିଠି କଲେ ନବରଙ୍ଗପୁର ଜିଲ୍ଲାପାଳ । ଏବେବି ୭୩୪୮ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ । ତେବେ ନବରଙ୍ଗପୁର ଜିଲ୍ଳାରେ ସରକାର ଏବେ ଆଉ କିଣିବେନି ଧାନ । ଏନେଇ ମଣ୍ଡି ବନ୍ଦ କରିବାକୁ ମଣ୍ଡି ଅନ୍ତର୍ଭୁକ୍ତ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଏପଟେ ମଣ୍ଡିରେ ଧାନ ବିକ୍ରି କରିନପାରି ମୁଣ୍ଡରେ ହାତଦେଇ ବସିଛନ୍ତି ହଜାର ହଜାର ପଞ୍ଜିକୃତ ଚାଷୀ । ନବରଙ୍ଗପୁର ଜିଲ୍ଲାରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା ଧାନ ମଣ୍ଡି । ଜିଲ୍ଲାର ୩୦ ହଜାର ୧୦୬ ଜଣ ଧାନ ଚାଷୀ ନିଜ ନାମ ପଞ୍ଜିକୃତ କରିଥିବା ବେଳେ ଏଥି ମଧ୍ୟରୁ ଯାଞ୍ଚ ପ୍ରକ୍ରିୟାରେ ୧ ହଜାର ୪୯୦ ଜଣ ବାଦ ପଡ଼ିଥିଲେ ଏବଂ ୨୮ ହଜାର ୬୧୬ ଜଣ ଚାଷୀଙ୍କ ପଞ୍ଜିକରଣକୁ କାୟମ କରାଯାଇଥିଲା। ବର୍ତମାନ ସୁଦ୍ଧା ଜିଲ୍ଲାର ୧୩ ଟି ଲ୍ୟାମ୍ପସର ୫୫ ଟି ମଣ୍ଡି ମାଧ୍ୟମରେ ୨୧ ହଜାର ୨୬୮ ଜଣ ଚାଷୀଙ୍କ ଠାରୁ ୧୮ ଲକ୍ଷ ୪୭ ହଜାର ୮୫୮. ୦୯ କୁଇଣ୍ଟାଲ ଧାନ କିଣାଯାଇଛି।
ବିଗତ ବର୍ଷ ୨୦୧୯/୨୦ ବର୍ଷରେ ଜିଲ୍ଲାର ୨୧ ହଜାର ୧୪୦ ଜଣ ଚାଷୀଙ୍କ ଠାରୁ ୧୫ ଲକ୍ଷ ୨୪ ହଜାର ୫୫୦ କୁଇଣ୍ଟାଲ ଧାନ କିଣାଯାଇଥିଲା। ଯାହାକି ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୩ ଲକ୍ଷ ୨୩ ହଜାର ୩୦୮.୦୯ କୁଇଣ୍ଟାଲ ଧାନ ଅଧିକା କିଣା ଯାଇଛି। ତଥାପି ଚଳିତ ବର୍ଷ ଧାନ ବିକ୍ରୀ କରିବାକୁ ନିଜ ନାମ ପଞ୍ଜିକୃତ କରିଥିବା ଜିଲ୍ଲାର ୭ ହଜାର ୩୪୮ ଜଣ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ଏବେବି ବିକ୍ରି ନହୋଇ ପଡିରହିଛି।