ଓଡିଶା

odisha

ETV Bharat / state

ରାସ୍ତାରେ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ଦୁଃଖ ଶୁଣିଲେ ଦରଦି ଜିଲ୍ଲାପାଳ - ନବରଙ୍ଗପୁର ଜିଲ୍ଲାପାଳ

ଅନ୍ୟ ବଡ ବଡ ବାବୁଙ୍କ ପରି ନୁହେଁ ବରଂ ଜଣେ ସାଧାରଣ ମଣିଷ ଭଳି ଅନ୍ୟ ଜଣେ ମଣିଷର ଦୁଃଖ ବୁଝିଛନ୍ତି ସେ । ସରକାରୀ ଗାଡିରୁ ଓହ୍ଲାଇ ଆସି ଥାପୁଡାଇ ଦେଇଥିଲେ ଅସହାୟର କାନ୍ଧ ଆଉ ଦେଇଛନ୍ତି ଥଇଥାନର ପ୍ରତିଶୃତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 26, 2019, 3:10 PM IST

ନବରଙ୍ଗପୁର: ଅନ୍ୟ ବଡ ବଡ ବାବୁଙ୍କ ପରି ନୁହେଁ ବରଂ ଜଣେ ସାଧାରଣ ମଣିଷ ଭଳି ଅନ୍ୟ ଜଣେ ମଣିଷର ଦୁଃଖ ବୁଝିଛନ୍ତି ସେ । ସରକାରୀ ଗାଡିରୁ ଓହ୍ଲାଇ ଆସି ଥାପୁଡାଇ ଦେଇଥିଲେ ଅସହାୟର କାନ୍ଧ । ଦୁଃଖ ଶୁଣି ସହାୟତା କରିବାର ଆଶ୍ବାସନ ବି ଦେଇଥିଲେ । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଛକ ପାଖର । ହାତରେ ଭିକ ମୁଣି ଓ ବାଡି ଖଣ୍ଡେ ଧରି ବାଟ ହୁଡୁଥିଲେ ଦୃଷ୍ଟିହୀନ ଦମ୍ପତ୍ତି ।

ଠିକ୍‌ ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର । ଦୃଷ୍ଟିହୀନ ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖି ସେଠାରେ ଅଟକି ଯାଇଥିଲେ ଜିଲ୍ଲାପାଳ । ଗାଡିରୁ ଓହ୍ଲାଇ ସେମାନଙ୍କ ପାଖରେ ପହଞ୍ଚିଥିଲେ ଓ ପଚାରି ବୁଝିଥିଲେ ସେମାନଙ୍କ ନାଁ ଓ ଠିକଣା । ପଚାରିବାରୁ ଜଣା ପଡିଥିଲା କି ଦମ୍ପତ୍ତି ହେଉଛନ୍ତି ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସମ୍ବାରୁ ଭତ୍ରା ଓ ସୁକାନ୍ତି ଭତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତିନି ଦିନ ତଳେ ଝାଡାବାନ୍ତିର ଶିକାର ହୋଇ ସେମାନେ ପାପଡାହାଣ୍ଡି ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ସେଠାରୁ ଫେରୁଥିବା ସମୟରେ ସେମାନଙ୍କୁ ଭେଟିଥିଲେ ଜିଲ୍ଲାପାଳ । ତେବେ ଡାକ୍ତରଖାନାରୁ 12 କିଲୋମିଟର ଦୂର ନିଜ ଘରକୁ ଫେରୁଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହା ବି ଜଣାଇଥିଲେ କି ଦୃଷ୍ଟିହୀନ ହୋଇଥିବାରୁ କୌଣସି ଗାଡି କିମ୍ବା ବସ୍‌ ସେମାନଙ୍କୁ ନେବା ପାଇଁ ରାଜି ହେଉ ନାହିଁ ।

ତେବେ ଡାକ୍ତରଖାନାରେ ଚିକିତ୍ସା କିପରି ଥିଲା ଓ ମାଗଣା ଚିକିତ୍ସା କରି ଔଷଧ ଦେଇଥିଲେ କି ନାହିଁ ତାହା ପଚାରି ବୁଝିଥିଲେ ଜିଲ୍ଲାପାଳ । ଉତ୍ତରରେ ଡାକ୍ତରଖାନାରେ ଭଲ ଚିକିତ୍ସା ଦେଇଥିଲେ ବୋଲି ପ୍ରକାଶ କରିଥିଲେ ଦମ୍ପତ୍ତି । ସେହିପରି ସରକାରୀ ଯୋଜନା ଅନ୍ତର୍ଭୁକ୍ତ ଚାଉଳ ଓ ଭତ୍ତା ସମ୍ପର୍କରେ ପଚାରିଥିଲେ ଜିଲ୍ଲାପାଳ । ଯାହାର ଉତ୍ତରରେ ସମସ୍ତ ସୁବିଧା ପାଉଥିବା ଜଣାଇଥିଲେ ଦମ୍ପତ୍ତି । କିନ୍ତୁ ସରକାରୀ ଜମିରେ ଝାଟିମାଟିର ଘର ଖଣ୍ଡେରେ ମୁଣ୍ଡ ଗୁଞ୍ଜିଥିବା କହିଥିଲେ ସେମାନେ ।

ଏହା ଶୁଣିବା ପରେ ଘର ଖଣ୍ଡେ ଯୋଗାଇବା ପାଇଁ ତହସିଲଦାରଙ୍କୁ ଓ ଆବାସ ଯୋଜନାରେ ଘର ଯୋଗାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଜିଲ୍ଲପାଳ ପ୍ରତିଶୃତି ଦେଇଥିଲେ । ଆଗାମୀ ତିନି ମାସ ମଧ୍ୟରେ ସେମାନଙ୍କୁ ଜମି ଓ ଘର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।

ପ୍ରକାଶ ଯେ ଖଇରା ଗ୍ରାମର ଏହି ଦୃଷ୍ଟିହୀନ ଦମ୍ପତ୍ତି ରାତି ପାହିଲେ ଗାଁ ଗାଁ ବୁଲି ଗୀତ ଗାଇ ଭିକ ମାଗି ପେଟ ପୋଷନ୍ତି । ଯେଉଁ ଗ୍ରାମରେ ରାତି ହୋଇଯାଏ ସେଠାରେ ହିଁ ରାତି କାଟନ୍ତି । ସେଥିପାଇଁ ଭିକ ମୁଣି ସହ ଦୁଇ ଖଣ୍ଡ ଚାଦର ସାଙ୍ଗରେ ଧରି ବୁଲନ୍ତି ଏମାନେ । ତେବେ ଏହି ବୃଦ୍ଧ ଦମ୍ପତ୍ତି ପ୍ରତି ଜିଲ୍ଲାପାଳ ଦେଖାଇଥିବା ମାନବିକତାକୁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details