ନବରଙ୍ଗପୁର: ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ପ୍ରଭାବ ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି । ଜିଲ୍ଲାର ୧୦ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଏଥିପାଇଁ ବ୍ଲକଗୁଡିକରେ ବାତ୍ୟା ନେଇ ସତର୍କ ରହିବା ପାଇଁ ଲୋକଙ୍କୁ ମାଇକ ଯୋଗେ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ ଯାଏଁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇନାହିଁ । କେବଳ ଚତୁର୍ଦିଗରେ କଳା ମେଘ ଢାଙ୍କି ରହିଛି । ଯଦି ଆବଶ୍ୟକ ହୁଏ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରାଯିବ ବୋଲି ସୂଚନା ମିଳିଛି । ସେପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ଟିକିଏ ଆଶ୍ବସ୍ତି ଆଣିଦେଇଛି । ଜିଲ୍ଲାର ଏହି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୪୩ ମିଟର ରହିଛି । ୧ ଅକ୍ଟୋବର ସୁଦ୍ଧା ଜଳଭଣ୍ଡାରରେ ୬୪୧.୫ ମିଟର ରହିବା କଥା କିନ୍ତୁ ଆଜି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୨.୭୭ ମିଟର ରହିଛି ।