ନବରଙ୍ଗପୁର:ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଲା ନବରଙ୍ଗପୁର ଜିଲ୍ଲା ବିଜେପି । ବିଜେଡି ଶାନରେ ଜିଲ୍ଲାରେ ଡକାୟତ, ଚୋରି ରାହାଜାନି ବଢିଛି । ନିକଟରେ ଡକାୟତି ଉଦ୍ୟମ କରି ଗିରଫ 9 ଜଣ ସେମାନଙ୍କ ମଧ୍ୟରେ ଥିବା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକଙ୍କ ଗିରଫକୁ ନେଇ ବିଜେପି ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି ।
ଡ଼କାୟତି ଉଦ୍ୟମ ଯୋଜନା ଅଭିଯୋଗରେ ଗିରଫ ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକଙ୍କୁ ନେଇ ନବରଙ୍ଗପୁର ରାଜନୀତି ସରଗରମ ହୋଇଛି । ଜିଲ୍ଲା ବିଜେପିର ଟାର୍ଗେଟରେ ରହିଛନ୍ତି ନବରଙ୍ଗପୁର ବିଧାୟକ । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି । ବିଜେପି ନେତା ଗୌରୀ ମାଝୀ ସମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଛତ୍ରଛାୟା ତଳେ ଡକାୟତି ଗ୍ୟାଙ୍କ୍ ଚାଲିଥିବା ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଠିକାଦାର ବିଲ୍ଡର ସରକାରୀ କର୍ମଚାରୀ ଏବଂ ବଡ଼ ବଡ଼ ବ୍ୟବ୍ୟସାୟୀଙ୍କ ଠାରୁ ବଟି ଆଦାୟ କରି ବିଜୁ ଜନତା ଦଳକୁ ଫଣ୍ଡିଙ୍ଗ କରୁଥିବା ଅଭିଯୋଗ କରିଛି ନବରଙ୍ଗପୁର ବିଜେପି ।
ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବଣିଆ ସ୍ଥିତ ମା ଭଣ୍ଡାର ଘରଣୀ ନାମକ ଏକ କାଜୁ ମିଲରେ ଡକାୟତି ଉଦ୍ୟମ ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଚିଲିଗୁଡା ସ୍ଥିତ ଏକ ଆମ୍ବ ବାଡ଼ ମଧ୍ୟରୁ ପୋଲିସ ୯ ଜଣ ଡକାୟତଙ୍କୁ ଗିରଫ କରିଥିଲା । ଏ ନେଇ ଗତ ୮ ତାରିଖ ଦିନ ନବରଙ୍ଗପୁର ଏସପି ଏସ ସୁଶ୍ରୀ ସୂଚନା ଦେଇଥିଲେ । ଏଥିସହ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଅନେକ ଡକାୟତି ଯୋଜନାରେ ସଂଶ୍ଳିଷ୍ଟ ଥିବା ଓ ବିଭିନ୍ନ ଠିକାଦାରଙ୍କୁ ଧମକ ଦେଉଥିବା ନେଇ ଏସପି କହିଥିଲେ। ଏଥିସହ ଏହି ଡକାୟତ ମାନଙ୍କ ନାମରେ ଜିଲ୍ଲା ତଥା ପୋଡ଼ଶୀ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଥିବା ଜଣାପଡିଥିଲା । ୯ ଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମର ବାବୁନି ନାୟକ ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି । ବାବୁନି ନାୟକ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ । ବିଧାୟକ ପ୍ରଧାନୀଙ୍କ ସହ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି ।