ନବରଙ୍ଗପୁର: ପୃଥିବୀ ପାଇଁ ସଙ୍କଟ ସାଜିଛି ଜଳବାୟୁ ପରିବର୍ତ୍ତନ । ଯାହାର ଗଭୀର ପ୍ରଭାବ ଜୀବ ଜଗତ ଉପରେ ପଡୁଛି । ଏହି ସଙ୍କଟର ମୁଖ୍ୟ କାରଣ ଜଙ୍ଗଲ କ୍ଷୟ । ଏହି ସମସ୍ୟାର ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବି ଏହାକୁ ନେଇ ଲୋକେ ବେଶ୍ ସଚେତନ । ଏହି ଉପାନ୍ତ ଜିଲ୍ଲାର ଲୋକେ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ମର୍ମେ ମର୍ମେ ବୁଝି ଜଙ୍ଗଲ ନଷ୍ଟ ହେବାରୁ ରୋକିବାକୁ ଚେଷ୍ଟା ଚଳାଇଛନ୍ତି । ପୂର୍ବରୁ ପୋଡୁ ଚାଷ ଯୋଗୁ ଏକର ଏକର ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବେଳେ ଏବେ କେଉଁଠି ଟିକେ ନିଆଁ ଦେଖାଗଲେ ଗାଁ ଲୋକମାନେ ମିଳିମିଶି ସେହି ନିଆଁ ଲିଭାଇ ଦେଉଛନ୍ତି ।
ଏହାମଧ୍ୟ ପଢନ୍ତୁ.. ନିରବି ଯାଉଛି ପାହାଡ଼ର ସ୍ବର ! ଗୋଟି ଗୋଟି ହୋଇ ମାଟିରେ ଲୋଟି ପଡ଼ୁଛି ବୃକ୍ଷରାଜି
ଏନେଇ ବନ କର୍ମଚାରୀଙ୍କ କହିବା କଥା, ଗତ 5 ବର୍ଷ ପୂର୍ବେ ଏହି ଅଞ୍ଚଳର ଲୋକମାନେ ପୋଡୁ ଚାଷ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିଲେ । ଯେଉଁଥିପାଇଁ ଗଛ ପତ୍ର ପୋଡିଯିବା ସହ ଜଙ୍ଗଲୀ ଜନ୍ତୁମାନେ ବି ବେଶ୍ ପ୍ରଭାବିତ ହେଉଥିଲେ । ତେବେ ବନ ବିଭାଗ ପକ୍ଷରୁ ଗାଁ ଗାଁରେ ବୈଠକ ଡକାଯାଇ ଏନେଇ ସଚେତନତନା ସୃଷ୍ଟି କରିବା ପରେ ଲୋକମାନେ ବେଶ ସଚେତନ ହୋଇଛନ୍ତି । ବର୍ତ୍ତମାନ ଲୋକମାନେ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଲେ ସେମାନେ ବନ କର୍ମଚାରୀଙ୍କ ସହ ମିଶି ନିଆଁ ଲିଭାରେ ସାହାଯ୍ୟ କରୁଛନ୍ତି । ଅନ୍ୟପଟେ ସ୍ଥାନୀୟବାସିନ୍ଦା ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଜଙ୍ଗଲ ନଷ୍ଟ ନ କରି ଜଙ୍ଗଲରୁ ସୁରକ୍ଷା ଦେଉଛୁ ବୋଲି କହିଛନ୍ତି ସ୍ଥାନୀୟଲୋକେ ।