ନବରଙ୍ଗପୁର:ଜିଲ୍ଲା ନନ୍ଦାହାଣ୍ଡି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ମିଶ୍ର । ବୟସ 14 ବର୍ଷ ହେଲେ କରୁଛନ୍ତି ମହାନ କାମ । ଯେଉଁ ବୟରେ ହସି ଖେଳି ପାଠ ପଢିବା କଥା ସେହି ବୟସରେ ସମାଜରେ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛନ୍ତି ପ୍ରାର୍ଥନା । ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ରୋକିବା, ପିଲାଙ୍କୁ ସ୍କୁଲ ମୁହାଁ, କିଶୋରୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେ ଘର ଘର ବୁଲି ସଚେତନ କରୁଛନ୍ତି ।
ବାପା-ମାଆ ଚାଲିଯିବା ପରେ ବି ହାର ମାନି ନାହାନ୍ତି ପ୍ରାର୍ଥନା: ୨୦୧୯ରେ ପ୍ରାର୍ଥନାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବି ହାର ମାନି ନଥିଲେ ପ୍ରାର୍ଥନା । ସେ ଗତ ୩ ବର୍ଷ ହେବ ମାଉସୀଙ୍କ ଘରେ ନନ୍ଦାହାଣ୍ଡି ଗ୍ରାମରେ ରହୁଛନ୍ତି । ସେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଠାରୁ ପ୍ରେରଣା ପାଇ ସମାଜକୁ ପରିବର୍ତ୍ତନ ପାଇଁ ଆଗେଇ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ମିଶ୍ର ।
ପିଲାଙ୍କୁ ସ୍କୁଲ ମୁହାଁ ପ୍ରାର୍ଥନାଙ୍କ ଲକ୍ଷ୍ୟ:ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସ୍କୁଲକୁ ନଯାଇ ପରିବାରଲୋକଙ୍କୁ କାର୍ଯ୍ୟରେ ସହଯୋଗ କରିଥାଆନ୍ତି । କେବଳ ଡ୍ରପ ଆଉଟ ନୁହେଁ ବାଲ୍ୟ ବିବାହ ଭଳି ଏକ ଅଲୋଡା ରେକର୍ଡ ରହିଛି । ବାଲ୍ୟ ବିବାହ, ପିଲାଙ୍କୁ ସ୍କୁଲ ମୁହାଁ, କିଶୋରୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଆଦି ସମାଜର ହିତ ପାଇଁ ନବରଙ୍ଗପୁର ଜିଲ୍ଲାରେ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଅଦ୍ବିକା କାର୍ଯ୍ୟକ୍ରମ ୨୦୨୧ରୁ ହାତକୁ ନିଆଯାଉଛି ।
ପ୍ରତି ଶନିବାର ଦିନ ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମାନଙ୍କୁ ନେଇ ବୈଠକ କରାଯାଉଛି । ଏଥିପାଇଁ ଗ୍ରାମରେ ସଖୀ ଓ ସହେଲି ନିୟୋଜିତ ହୋଇଛନ୍ତି । ପ୍ରାର୍ଥନା ସଖୀ ଭାବେ ୧୧ ବର୍ଷରୁ କାମ କରି କିଶୋରୀମାନଙ୍କୁ ସଚେତନ କରାଉଛନ୍ତି । ପାର୍ଥନା ବର୍ତ୍ତମାନ ନବମ ଶ୍ରେଣୀରେ ପାଠ ପଢିବା ସହିତ ନନ୍ଦାହାଣ୍ଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ଅଦ୍ୱିକା ବୈଠକରେ ନିୟମିତ ଯୋଗ ଦେଉଛନ୍ତି । ବର୍ତ୍ତମାନ ସେ ନିଜେ ମାସର ସମସ୍ତ ଶନିବାର ଦିନ ଅଦ୍ୱିକା ବୈଠକରେ ଉପସ୍ଥିତ ରହି ସମସ୍ତ କିଶୋର କିଶୋରୀ କିପରି ପାଠ ପଢିବେ, ଅଧାରୁ ଯେପରି କେହି ପାଠ ନ ଛାଡିବେ, ବାଲ୍ୟ ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀମାନଙ୍କୁ ସେବନ କରିବାକୁ ବୁଝାଉଛନ୍ତି ।