ନବରଙ୍ଗପୁର: ଚାଷୀଙ୍କୁ ପଡିଛି ଶନି ଦଶା । କେତେବେଳେ ପ୍ରକୃତିର ତାଣ୍ଡବରେ ଫସଲ ନଷ୍ଟ ତ କେତେବେଳେ ବିଦେଶୀ କୀଟ ପତଙ୍ଗ ଖାଇଯାଉଛନ୍ତି ବିଭିନ୍ନ ଫଳଦାୟକ ଗଛ, ଫୁଲ, ଫଳ । ପୁଣି କେତେବେଳେ ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ନଷ୍ଟ ହେଉଛି ଚାଷୀଙ୍କ ସାରା ବର୍ଷର ସୁନାଫଳ । ଏବେ ଏମିତି ଘଟଣା ଘଟିଚାଲିଛି ନବରଙ୍ଗପୁରରେ । ଦୀର୍ଘଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମକା ଚାଷ ହୋଇଆସୁଛି ।
ଦିନ ଥିଲା ମକା ଉତ୍ପାଦନରେ ନବରଙ୍ଗପୁର ଜିଲ୍ଲା ଏସିଆ ମହାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ହେଲେ ଲଗାତାର କିଛି ବର୍ଷହେଲା ନବରଙ୍ଗପୁରର ମକା ଚାଷୀଙ୍କୁ ପଡିଛି ଶନିଦଶା । ଚଳିତ ବର୍ଷ ଅଦିନିଆ ବର୍ଷାରେ ଯାହା କିଛି ମକା ଗଛ ବଞ୍ଚିଥିଲା ତାହାକୁ ବିଦେଶୀ କୀଟ ‘fall army warm’ ଖାଇଗଲେ । ପୁଣି ଏବେ ମକା ଖାଇବାକୁ ଭାଲୁ ଆସି ଗଛପତ୍ର ନଷ୍ଟ କରିବା ସହ ମକା ଖାଉଛନ୍ତି ।