ନବରଙ୍ଗପୁର: ଜିଲ୍ଲାରେ ମଣ୍ଡି ଦୁର୍ନୀତି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ଜିଲ୍ଲା ସଭାପତି ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହା ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଧାନମଣ୍ଡିରେ ଗରିବ ଆଦିବାସୀ ଚାଷୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ନାଁରେ ଜାଲ ମଣ୍ଡି କାର୍ଡ, ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡ ତିଆରି କରି ସେମାନଙ୍କ ନାମରେ ଧାନ କିଣାଯାଇଛି । ଯଦ୍ବାରା ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ । ଏଭଳି ଭାବେ ଚନ୍ଦାହାଣ୍ଡି ମଣ୍ଡିରେ 18 ହଜାର 500 କ୍ବିଣ୍ଟାଲ ଧାନ ଜାଲିଆତି କରି କିଣାଯାଇଛି ଏବଂ ଜିଲ୍ଲାରେ 150 କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ ।
ଧାନ କିଣିବା ପାଇଁ ରାଜସ୍ବ ବିଭାଗ ଆରଆଇଙ୍କ ଦ୍ବାରା ଜାଲ ଜମି ପଟ୍ଟା ପ୍ରସ୍ତୁତ ହୋଇଥିବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଜାଲ ପାସବୁକ ଓ ଏଟିଏମ ତିଆରି ଜାଲ ମଣ୍ଡି କାର୍ଡ ରେଜିଷ୍ଟ୍ରେସନରେ ଲ୍ୟାମ୍ପ କର୍ମଚାରୀ, ଯୋଗାଣ ବିଭାଗ ଓ ଆରଏମସି ବିଭାଗର କର୍ମଚାରୀ ମିଳିତ ଭାବେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରଦୀପ ଅଭିଯୋଗ ଆଣିଛନ୍ତି । ଏମାନଙ୍କ ମିଳିତ ଅସାଧୁ ମେଣ୍ଟରେ ଜାଲିଆତିରେ ସମସ୍ତ ଧାନ କିଣାଯାଇଥିବାରୁ ଏ ସମସ୍ତ ପ୍ରକ୍ରିୟାରେ ସାମିଲ ଥିବା ଅଧିକାରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଯଦି ଆଗାମୀ 15 ଦିନ ମଧ୍ୟରେ ଏ ସମସ୍ତଙ୍କୁ ଗିରଫ କରାନଯାଏ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ।