ଓଡିଶା

odisha

ETV Bharat / state

ମୁସଲିମ୍‌ ମହିଳାଙ୍କ ମୁହଁରେ ଗୀତା ଶ୍କୋକ - ସଲମା ଆଜମି ବାନୁ

ନବରଙ୍ଗପୁର ଡାବୁଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟା ତଥା ମୁସଲିମ୍‌ ଝିଅ ସଲମା ଆଜମି ବାନୁ ସଂସ୍କୃତରେ ଶିକ୍ଷାଦାନ କରି ଜିଲ୍ଲାରେ ଏକ ନୂଆ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଅଧିକ ପଢନ୍ତୁ...

ମୁସଲିମ୍‌ ମହିଳାଙ୍କ ମୁହଁରେ ଗୀତା ଶ୍କୋକ
ମୁସଲିମ୍‌ ମହିଳାଙ୍କ ମୁହଁରେ ଗୀତା ଶ୍କୋକ

By

Published : Jan 6, 2020, 2:47 AM IST

ନବରଙ୍ଗପୁର: ଭାରତରେ ସମ୍ପ୍ରଦାୟିକ ଦଙ୍ଗା କିଛି ନୂଆକଥା ନୁହେଁ । ଧର୍ମକୁ ନେଇ ବିଭିନ୍ନ ସମୟରେ ଉତ୍ତେଜନା ମଧ୍ୟ ଦେଖାଦେଇଥାଏ । ନିକଟରେ ସିଏଏ(CAA)କୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ । ତେବେ ଏସବୁ ଭିତରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ମହିଳା ଶିକ୍ଷୟତ୍ରୀ । ଧର୍ମରେ ମୁସଲମାନ କିନ୍ତୁ ମୁହଁରୁ ବାହାରୁଛି ଗୀତାର ଶ୍କୋକ ।

ନବରଙ୍ଗପୁର ଡାବୁଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟା ତଥା ମୁସଲିମ ଝିଅ ସଲମା ଆଜମି ବାନୁ ସଂସ୍କୃତରେ ଶିକ୍ଷାଦାନ କରି ଜିଲ୍ଲାରେ ଏକ ନୂଆ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ମୁସଲିମ୍‌ ମହିଳାଙ୍କ ମୁହଁରେ ଗୀତା ଶ୍କୋକ

ମୁସଲିମ ଝିଅ ହୋଇଥିଲେ ମଧ୍ୟ ନିଷ୍ଠା ଓ ଉଦ୍ୟମ ଯୋଗୁଁ ସେ ଆଦି ଭାଷା ସଂସ୍କୃତକୁ ଆପଣାଇ ଭିନ୍ନ ଏକ ପରମ୍ପରାର ନିଦର୍ଶନ ଦେଇଛନ୍ତି । ତାଙ୍କର ଏହି ଉଦ୍ୟମ ତଥା ସମାଜକୁ ଦେଇଥିବା ନୂତନ ଦିଗ୍‌ଦର୍ଶନ ପାଇଁ ସଲମାଙ୍କୁ ଉର୍ଦ୍ଦୁ ପତ୍ରିକା 'ଆକବର ନାମା ଦୈନିକ'ର ଅଷ୍ଟମ ବାର୍ଷିକ ଉତ୍ସବରେ ଭୁବନେଶ୍ବର ଜୟଦେବ ଭବନରେ ଆସନ୍ତା ମଙ୍ଗଳବାର ଦିନ ସମ୍ମାନିତ କରାଯିବ। ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଲମା ବାନୁଙ୍କୁ ସମ୍ମାନିତ କରିବେ ।

ସଲମା ଏକ ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବାବେଳେ ବାପାଙ୍କ ଅଚାନକ ମୃତ୍ୟୁ ପରେ ପରିବାରର ବୋଝ ସଲମାଙ୍କ ଉପରେ ଆସିଥିଲା । ବିଧବା ମା', ପୁଅ ଓ ଦୁଇ ଝିଅକୁ ନେଇ ସଲମା ବାନୁଙ୍କ ପରିବାର । ମାଆ ଅଙ୍ଗନୱାଡ଼ି କର୍ମୀ ଭାବେ ପରିବାର ପୋଷଣ କରୁଥିବା ବେଳେ ପରିସ୍ଥିତିରେ ପଡି ସଲମା ଡାବୁଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷୟତ୍ରୀ ଭାବେ ପେଶାକୁ ଆଦରି ନେଇଥିଲେ ।

ସେଠାରେ ସେ ନିଜ ଇଚ୍ଛାରେ ସଂସ୍କୃତ ଭାଷା ଚୟନ କରି ତୃତୀୟ ଶ୍ରେଣୀ ପିଲାଙ୍କୁ ସଂସ୍କୃତ ଶିକ୍ଷାଦାନ କଲେ । ଏଥି ନିମନ୍ତେ ନିଜ ଉଦ୍ୟମରେ ସେ ସଂସ୍କୃତ ପଢ଼ିବା ସହ ଉଚ୍ଚାରଣ କିପରି କରାଯିବ ତାହା ନିରନ୍ତର ଅଭ୍ୟାସ କଲେ । ପ୍ରବଳ ନିଷ୍ଠା ଓ ଉଦ୍ୟମ ଯୋଗୁଁ ସେ ଅଳ୍ପ କେଇ ମାସ ମଧ୍ୟରେ ସଂସ୍କୃତ ଭାଷାକୁ ଆପଣାଇ ନେଇଥିଲେ । କେବଳ ସେତିକି ନୁହେଁ ସଂସ୍କୃତ ବନ୍ଦନା, ହନୁମାନ ଚାଳିଶା, ତଥା ସଂସ୍କୃତର ଅନେକ ଶ୍ଳୋକ ମଧ୍ୟ ନିର୍ଭୁଲ ଭାବରେ ମୁଖସ୍ଥ କରିଥିଲେ ।

ଜଣେ ମୁସଲିମ ଝିଅ ହୋଇ ସଂସ୍କୃତ ଶିକ୍ଷାଦାନ କରି ନୂଆ ଉଦାହରଣ ସୃଷ୍ଟି କରି ପାରିଛନ୍ତି ସଲମା । ସଲମା ବାନୁ ଗୀତା ଓ କୋରାନ ଧର୍ମଗ୍ରନ୍ଥ ମଣିଷକୁ ନୀତି ଓ ନୈତିକତାର ହିଁ ଶିକ୍ଷା ଦେଇ ଆସିଛି ବୋଲି କହିବା ସହ ଏଥିରେ ସେ ସଂସ୍କୃତ ଶିକ୍ଷାଦାନ ସମୟରେ କୌଣସି ପାର୍ଥକ୍ୟ ରଖୁ ନଥିବା ପ୍ରକାଶ କରିଛନ୍ତି ।

ମୁସଲିମ ଓ ହିନ୍ଦୁ ଧର୍ମ ମଧ୍ୟରେ ଭାଇଚାରା ସୃଷ୍ଟି କରି ସମାଜକୁ ନୂଆ ଦିଗ ଦେଖାଇଥିବା ସଲମାଙ୍କୁ ଏହି ପ୍ରତିଭା ତଥା ଦିଗ ଦର୍ଶନ ପାଇଁ ଓଡ଼ିଶାର ଦୈନିକ ପ୍ରକାଶିତ ଉର୍ଦ୍ଦୁ ଖବର କାଗଜର ଅଷ୍ଟମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ ଇଟିଭି ଭାରତ

ABOUT THE AUTHOR

...view details