ନବରଙ୍ଗପୁର:ମହାନତା ଦେଖାଇଲେ ଶିକ୍ଷୟିତ୍ରୀ । ମୃତ ଝିଅର ମେଧାବୀ ପୁରସ୍କାର ରାଶି ସହିତ ପାଞ୍ଚ ଲକ୍ଷ ଟଙ୍କାକୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିକୁ ଦାନ କରିଦେଲେ । ନବରଙ୍ଗପୁର ଜିଲ୍ଲାପାଳ ଚେକ ଆକାରରେ ଏହି ଅର୍ଥ ଗ୍ରହଣ କରିଛନ୍ତି । ଶିକ୍ଷୟିତ୍ରୀ ରଶ୍ମିତା ସେଠୀଙ୍କ ଝିଅ ଦିବ୍ୟମୟୀ ପତିକା ସିକିଲ୍ ସେଲ୍ ରୋଗରେ ପୀଡ଼ିତ ଥିଲେ । ଅଳ୍ପ ବୟସରେ ଗତ ଛଅ ମାସ ତଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ତାଙ୍କ ନାମରେ ଥିବା ସବୁ ମେଧାବୀ ପୁରସ୍କାର ରାଶି ଓ ସଞ୍ଚିତ ଅର୍ଥକୁ ଦାନ କରିଥିବା ଶିକ୍ଷୟିତ୍ରୀ ଜଣକ ପ୍ରକାଶ କରିଛନ୍ତି । ଶିକ୍ଷୟିତ୍ରୀଙ୍କ ଏହି ମହାନ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ରଶ୍ମିତା ସେଠୀ । ପେଶାରେ ସେ ଜଣେ ଶିକ୍ଷୟିତ୍ରୀ । ରଶ୍ମିତା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଞ୍ଚାୟତର ମିରଗାନଗୁଡ଼ାରେ ବାସ କରନ୍ତି । ନିଜର ଏକ ମାତ୍ର ଝିଅ ପାଇଁ ସଞ୍ଚିଥିବା ସବୁ ଧନକୁ ଆଜି ଦାନ କରିଦେଇଛନ୍ତି । ରଶ୍ମିତାଙ୍କ ଝିଅ ଦିବ୍ୟମୟୀ ଜଣେ ରକ୍ତ ଶିଙ୍କୁଳି ରୋଗୀ ଥିଲେ । ଅନେକ ଚିକିତ୍ସା ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇପାରିନଥିଲେ । ଝିଅକୁ ରଶ୍ମିତା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ସେ ତ ଏହି ଦୁନିଆରେ ନାହାନ୍ତି, ତାଙ୍କ ପାଇଁ ସଞ୍ଚିଥିବା ଅର୍ଥକୁ ସେ ପାଖରେ ରଖି କଣ କରିବେ ବୋଲି ଭାବିଥିଲେ । ତେଣୁ ଝିଅ ପାଇଥିବା ମେଧାବୀ ପୁରସ୍କାର ରାଶି ସହିତ ସଞ୍ଚିଥିବା ଟଙ୍କାକୁ ଗରିବ ପିଲାଙ୍କ କାମରେ ଲଗାଇବାକୁ ସେ ମନସ୍ତ କରିଥିଲେ । ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚି 5 ଲକ୍ଷ ଟଙ୍କାକୁ ନବରଙ୍ଗପୁର ରେଡକ୍ରସ୍ରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏନେଇ ରଶ୍ମିତା କହିଛନ୍ତି, "ଝିଅ ସିନା ବଞ୍ଚି ପାରିଲାନି କିନ୍ତୁ ଏହି ଅର୍ଥରେ କିଛି ଗରିବ ପିଲାଙ୍କୁ ସହଯୋଗ କରିହେବ । ପିଲାଙ୍କ ଚିକିତ୍ସାରେ ଲାଗି ପାରିବ । ଏହାଦ୍ବାରା ଝିଅର ଆତ୍ମାକୁ ଶାନ୍ତି ମିଳିବ ।"