ଓଡିଶା

odisha

By

Published : Sep 21, 2019, 10:49 AM IST

ETV Bharat / state

ହାତୀବାରି ଗ୍ରାମରେ ହାଡଫୁଟି ଆତଙ୍କ, ଗୁଣିଆ କରୁଛି ଚିକିତ୍ସା

ଏବେ ବି ଲୋକଙ୍କ ଭିତରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ । ରୋଗ ହେଲେ ଡାକ୍ତର ପାଖକୁ ନଯାଇ ଗୁଣିଆ ଡାକି କରୁଛନ୍ତି ଚିକିତ୍ସା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ହାତୀବାରି ଗାଁରେ । ହାଡଫୁଟି ଆକ୍ରାନ୍ତଙ୍କର ଚିକିତ୍ସା କରୁଛି ଗୁଣିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତୀବାରି ଗାଁରେ ହାଡଫୁଟି ଆତଙ୍କ । ଏହି ରୋଗରେ ୧୭ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମରେ ଏହି ରୋଗ ବ୍ୟାପିବାରେ ଲାଗିଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ଗତ ଅଗଷ୍ଟ ମାସରେ ଗ୍ରାମର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ଫେରିବାବେଳେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମବାସୀ ପ୍ରଥମେ ଦେଶୀ ଚିକିତ୍ସା ସାଙ୍ଗକୁ ଝଡାଫୁଙ୍କା ଆରମ୍ଭ କରିଥିଲେ । କ୍ରମଶଃ ଏହା ଗାଁ ସାରା ବ୍ୟାପିଥିବା କୁହାଯାଉଛି । ଲୋକେ ଆଜି ବି ଝଡାଫୁଙ୍କା ଉପରେ ନିର୍ଭର କରୁଥିବାବେଳେ ଏହା ଘରକୁ ଘର ବ୍ୟାପିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ବର୍ତ୍ତମାନ ଗ୍ରାମରେ ୧୭ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଜଣାଇବା ପରେ ଏକ ମେଡିକାଲ ଟିମ ସହ ଆୟୁଷ ଡାକ୍ତର ଶ୍ରୀନିବାସ ଗ୍ରାମକୁ ଯାଇଥିଲେ । ଶୁକ୍ରବାର ଅପରାହ୍ନରେ ଏନଆରଏଚଏମ୍ ଏକ ଟିମ ଚିକିତ୍ସା କରି ଫେରିଛନ୍ତି ।

ଗ୍ରାମବାସୀ କିନ୍ତୁ ଏହାକୁ ମାତା ଲାଗିଥିବା କହି ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରକାଶ ଥାଉକି ହାତୀବାରି ଗ୍ରାମର ସ୍ବାସ୍ଥ୍ୟକର୍ମୀ ଏଠାରେ ରହୁନାହାଁନ୍ତି। ମାସକୁ ଥରେ ଗ୍ରାମକୁ ଆସି ଫେରିଯାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ସ୍ବାସ୍ଥ୍ୟ କର୍ମୀ ନ ରହିବାରୁ ପ୍ରାଥମିକ ଚିକିତ୍ସା ବଦଳରେ ଗ୍ରାମବାସୀ ଗୁଣିଆ ଉପରେ ନିର୍ଭର କରୁଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details