ନବରଙ୍ଗପୁର: କୋରୋନା ମହାମାରୀ ଯଦି କାହାକୁ ଅଧିକ ଦୁଃଖ ଦେଉଛି ତେବେ ସେମାନେ ହେଉଛନ୍ତି ସାଧାରଣ ପ୍ରବାସୀ ଶ୍ରମିକ । ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ନିର୍ଯାତନା ହେଉ ଅବା ଭୋକର ଜ୍ଵାଳା, କିମ୍ବା ନିଜ ଜିଲ୍ଲାକୁ ଆସି କ୍ବାରେନଣ୍ଟାଇନ ଅବଧି ସାରି ଚାଲି ଚାଲି ଘରକୁ ଫେରିବା, ସବୁଠି କେବଳ ଶ୍ରମିକଙ୍କ ଦୁଃଖ । ପୁଣି ଥରେ ଏଭଳି ଏକ କରୁଣ ଚିତ୍ର ଚନ୍ଦାହାଣ୍ଡିଠାରେ ଦେଖିବାକୁ ମିଳିଛି ।
ଘରକୁ ଫେରିବାକୁ ନାହିଁ ବ୍ୟବସ୍ଥା, ପ୍ରଚଣ୍ଡ ଖରାରେ ଖାଲି ପାଦ ସାଜିଛି ସାହା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ଓ ଧୋଡିପାଣି ଅଞ୍ଚଳର ପ୍ରାୟ 30 ଜଣ ଶ୍ରମିକ ତେଲେଙ୍ଗାନାର ବିଭିନ୍ନ ଉଦ୍ୟୋଗରେ ଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁଥିଲେ । ତେବେ ଲକଡାଉନ ଯୋଗୁଁ ସେମାନେ ଜୀବିକା ହରାଇଥିବା ବେଳେ କୌଣସି ପ୍ରକାରେ ନିଜ ରାଜ୍ୟକୁ ଫେରି ଆସିବା ପାଇଁ ମନସ୍ଥ କରିଥିଲେ । ସେମାନଙ୍କୁ ଫେରାଇ ଆଣିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ହୋଇନଥିବା ବେଳେ ଏମାନେ ନିଜ ଜିଲ୍ଲା ନବରଙ୍ଗପୁରକୁ ଆସି ଝରିଗାଁ ବ୍ଲକର ଫୁପୁଗାଁ ଟିଏମସିରେ ରହିଥିଲେ ।
ଏବେ ଏହି ଶିବିରରେ କ୍ବାରେନଣ୍ଟାଇନ ଅବଧି ସରିଥିବା ବେଳେ ଏମାନଙ୍କୁ ନିଜ ଘରକୁ ଛାଡ଼ିବା ବ୍ୟବସ୍ଥା କରିନାହିଁ ଜିଲ୍ଲା ପ୍ରଶାସନ । ଫଳରେ ଅନ୍ୟ ଶ୍ରମିକମାନଙ୍କ ସହ ଟଙ୍କଧର ଧୂରୁଆ, ସ୍ତ୍ରୀ ଗୌରୀ ଧୂରୁଆ, ଦୁଇ ପୁଅ ଦିବେଶ୍ବର(6) ଓ କୃଷ୍ଣ (10) ପ୍ରଚଣ୍ଡ ଖରାରେ ବିନା ଚପଲରେ ଚାଲି ଚାଲି ଯାଉଥିବା ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଏମାନେ ପ୍ରଚଣ୍ଡ ଖରାରେ ପିଲା ଛୁଆଙ୍କୁ ଧରି ରାସ୍ତାରେ ଚାଲି ଚାଲି ଫେରୁଥିବାର ଦେଖିବାକୁ ମିଳିଛି । ପ୍ରବାସୀମାନେ ଫେରିବା ପାଇଁ କୌଣସି ଗାଡିର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରି ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେବେ ଜିଲ୍ଲା ମଧ୍ୟରେ ଥିବା ପ୍ରବାସୀମାନେ ଯଦି ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନେ କିପରି ହଇରାଣ ହେଉନଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ