ନବରଙ୍ଗପୁର:କାଶୀପୁର ଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କିଛି ଦିନ ତଳେ ନନ୍ଦାହାଣ୍ଡି ଓ ରାଇଘର ବ୍ଲକରେ ଝାଡାବାନ୍ତି ବ୍ୟାପିଥିଲା । ବର୍ତ୍ତମାନ ଏହା ଆଉ ଗୋଟିଏ ବ୍ଲକ ଅର୍ଥାତ ପାପଡାହାଣ୍ଡି ବ୍ଳକ୍କୁ ବ୍ୟାପିଛି । ଏହି ବ୍ଳକ୍ର ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପଦର ଗ୍ରାମରେ ବ୍ୟାପିବାରେ ଲାଗିଛି । ଅସ୍ବାସ୍ଥ୍ୟକର ପରିବେଶ ଓ ନାଳପାଣିର ବ୍ୟବହାର କାରଣୁ ଝାଡାବାନ୍ତି ହୋଇଥିବା ନେଇ ଅନୁମାନ କରାଯାଉଛି । ଏଥିରେ ଗ୍ରାମର ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକ ଜଣକ ହେଲେ ଗୁଆଇ ସାନ୍ତା । ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତୁଳସୀ ପଦର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ସେଠାରେ ବର୍ତ୍ତମାନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୨୪ ଘଣ୍ଟିଆ ୧୦ଜଣିଆ ଡାକ୍ତରୀ ଟିମକୁ ରଖାଯାଇଛି । ଡାକ୍ତରୀ ଦଳ ଘର ଘର ବୁଲି ଚିକିତ୍ସା କରିବା ସହ ସଚେତନତା କରୁଛନ୍ତି । ଏଥିସହ ସେଠାକାର ଆବର୍ଜନାରେ ବ୍ଲିଚିଂ ପକାଇବା ସହ ନଳକୂପ ଓ ନାଳ ଜଳର ନମୂନା ସଂଗ୍ରହ କରି ଟେଷ୍ଟ ନିମନ୍ତେ ପଠାଯାଇଛି ।