ନବରଙ୍ଗପୁର: ପୃଥକ ପୃଥକ ଚଢାଉରେ 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର କାଠ ପଟା ଜବତ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ନାଗଯୋଡ଼ି ଗ୍ରାମ ଓ ଅଞ୍ଚଳ ସଂରକ୍ଷିତ ଜଙ୍ଗଲରେ ପୃଥକ୍ ପୃଥକ୍ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣ କାଠ ପଟା, ବୈଦୁତିକ ଯନ୍ତ୍ରପାତି ତଥା ଟାଙ୍ଗିଆ ଜବତ କରିଛି ବନବିଭାଗ । ଗିରଫ ତିନିଜଣ ହେଲେ ନାଗଯୋଡ଼ି ଗ୍ରାମର ସୁଶାନ୍ତ ପନକା (୩୦), ହଳଦୀ ଗ୍ରାମର ଚେନ ସିଂ ଜାନି (୪୮) ଓ କପିଳାସ ପୂଜାରୀ (୨୮)।
ମିଳିଥିବା ସୂଚନା ଅନୁଯାୟୀ, ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ନାଗ ଯୋଡ଼ି ଗ୍ରାମରେ ବେଆଇନ ଭାବରେ ବିଭିନ୍ନ ଗଛର କାଠ ପଟା କାଟି ବ୍ୟବସାୟ ଉଦ୍ଦେଶ୍ୟରେ ସେହି ଗ୍ରାମର ସୁଶାନ୍ତ ପନକା ନିଜ ଘରେ ରଖିଥିଲା। କୌଣସି ସୂତ୍ରରୁ ଡାବୁଗାଁ ବାନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ କର୍ମଚାରୀମାନେ ଗତ ମଙ୍ଗଳବାର ନାଗଯୋଡ଼ି ଗ୍ରାମରେ ଅତର୍କିତ ଚଢ଼ାଉ କରି ସୁଶାନ୍ତ ପନକାର ଘର ମଧ୍ୟରୁ ବିପୁଳ ପରିମାଣର କାଠ ପଟା ଜବତ କରିଥିଲେ।
ଏଥିସହ କାଠ ପଟା କାଟିବା ବୈଦ୍ୟୁତିକ ମେସିନ ସହ ହାତ ମେସିନ ମଧ୍ୟ ଜବତ କରିଥିଲେ। ଜବତ କରାଯାଇଥିବା ବିଭିନ୍ନ ଗଛର କାଠ ପଟାର ଆନୁମାନିକ ମୂଲ୍ୟ ୪୦ ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ସୁଶାନ୍ତ ପନକା ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।